୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ, ବଢ଼ିଲା ଚାକିରି ପାଇଁ ବୟସ ସୀମା

0 516

ଭୁବନେଶ୍ୱର, : ରାଜ୍ୟ ସରକାର ଆଜି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏଥି ମଧ୍ୟରୁ ଚାକିରି କ୍ଷେତ୍ରରେ ବୟସ ସୀମାକୁ କ୍ୟାବିନେଟ କୋହଳ କରିଛନ୍ତି । ଏହାଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆବେଦନ କରିବାକୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସହଜ ହୋଇଛି । ରାଜ୍ୟ କ୍ୟାବିନେଟରେ ଓଡିଶା ବେସାମରିକ ସେବା ନିୟମ ୧୯୮୯ର ସଂଶୋଧନ ବଳରେ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସ ସୀମାକୁ କ୍ୟାବିନେଟ କୋହଳ କରିଛନ୍ତି । ଏହି ଅନୁଯାୟୀ ସାଧାରଣବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଥିବା ବୟସ ସୀମା ୩୨ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ ଅନୁସୂଚିତ ଜାତି, ଜନଜାତି ଓ ଏସ୍‌ଇବିସି ବର୍ଗରେ ବୟସ ସୀମାକୁ ୪୩ ବର୍ଷ, ସବୁ ବର୍ଗର ମହିଳାଙ୍କ ପାଇଁ ବୟସ ସୀମା ୪୩ ବର୍ଷ ଏବଂ ଭିନ୍ନକ୍ଷମ ସାଧାରଣବର୍ଗଙ୍କ ମହିଳାଙ୍କ ପାଇଁ ବୟସ ସୀମା ୪୮ ବର୍ଷ ଓ ଅନୁସୂଚୀତ ଜାତିଜନଜାତି ବର୍ଗର ମହିଳାଙ୍କ ବୟସ ସୀମା ୫୩କୁ ବୃଦ୍ଧି କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ ଜେନା କ୍ୟାବିନେଟର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କହିଲେ ଯେ, ରାଜ୍ୟ ସରକାର ଚାକିରି କ୍ଷେତ୍ରରେ ଥିବା ବୟସ ସୀମାକୁ ବିଭିନ୍ନ ବର୍ଗରେ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ବିଭିନ୍ନ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଓ ତା ଦ୍ୱାରା ପରବର୍ତ୍ତୀ ନିଯୁକ୍ତି ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ଉଚ୍ଚ ବୟସ ସୀମା ଶେଷ ହୋଇଯାଉଥିଲା । ତେଣୁ ସେହି ଛାତ୍ରୀଛାତ୍ରୀ ନିଯୁକ୍ତି ପରୀକ୍ଷାରେ ଭାଗନେବାକୁ ସୁଯୋଗ ପାଉନଥିଲେ । ତେଣୁ ଏହାକୁ ବିଚାର କରି ରାଜ୍ୟ ସରକାର କେବଳ ଆସନ୍ତା ତିନିବର୍ଷ ପାଇଁ ଅର୍ଥାତ୍‌ ୨୦୨୧,୨୦୨୨ ଓ ୨୦୨୩ କ୍ୟାଲେଣ୍ଡର ବର୍ଷରେ ଜାରି ହେବାକୁ ଥିବା କିମ୍ବା ଜାରି ହୋଇଥିବା ବିଜ୍ଞାପନ ବିହିତ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସ ସୀମା ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପ୍‌ତ୍ତି ନିଆଯାଇଛି । ସେହିପରି ଅନୁସୂଚିତ ଜନଜାତି, ଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ, ମହିଳା ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ବୟସ ସୀମାକୁ କୋହଳ କରିଛନ୍ତି । ଏହି ଅନୁଯାୟୀ ପ୍ରାୟ ପ୍ରତିବର୍ଷରେ ୫ ବର୍ଷ ଲେଖାଏଁ ବୟସ ସୀମା କୋହଳ କରାଯାଇଥିବା ବେଳେ ଏସିଏସଟି ଭିନ୍ନକ୍ଷମଙ୍କ କ୍ଷେତ୍ରରେ ବୟସ ସୀମାକୁ ୧୦ ବର୍ଷ ବୃଦ୍ଧି କରାଯାଇଛି ।
କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଲେ ରାଜ୍ୟ ସରକାର ଓଡିଶା ବେସାମରିକ ସେବା ସଂଯୁକ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ନିୟମାବଳୀ ୧୯୯୧ରେ ସଂଶୋଧନ କରିଛନ୍ତି । ଏହି ନିୟମ ଅନୁଯାୟୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ବୟସ ସୀମାକୁ ବୃଦ୍ଧି କରାଯାଇଛି ।
ସେହିଭଳି ବେସରକାରୀ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ମହାବିଦ୍ୟାଳୟ ଅନୁଦାନ ସହାୟକ ଆଦେଶ ୨୦୦୯କୁ ସଂଶୋଧନ ପାଇଁ କ୍ୟାବିନେଟ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ୨୦୦୯ ଅଧିନରେ ଅନୁଦାନପ୍ରାପ୍ତ ପାଇଁ ନିର୍ଦ୍ଦିଷ୍ଟ ପ୍ରାରମ୍ଭ ତାରିଖର କୌଣସି ବ୍ୟବସ୍ଥା ନାହିଁ ଏବଂ କୌଣସି ବ୍ୟକ୍ତି ଅନୁଦାନ ପାଇବା ପାଇଁ ଯୋଗ୍ୟ ହେବା ପାଇଁ ମହା ବିଦ୍ୟାଳୟରେ ଯୋଗଦେବାର ନିର୍ଦ୍ଦିଷ୍ଟ ସମୟସୀମାର ବ୍ୟବସ୍ଥା କରାଯାଇନାହିଁ । ସୁତରାଂ ଓଡିଶା ଶିକ୍ଷା ଅଧିନିୟମ ୨୬୯ର ଧାରା ୭ ଅନୁଯାୟୀ ସଂଶୋଧିତ ସହାୟକ ଅନୁଦାନ ଆଦେଶ ୨୦୨୨ରେ ଆଣିବାକୁ ପ୍ରସ୍ତାବ ଦିଆଯାଇଛି ।

hiring

ସେହିଭଳି ନୂତନ ସହାୟକ ଅନୁଦାନ ଆଦେଶ ଓଡିଶା ବେସରକାରୀ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଏବଂ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ସହାୟକ ଅନୁଦାନ ଆଦେଶ ୨୦୨୨ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ସେହିଭଳି ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କ୍ୟାବିନେଟ ଓମ୍‌ବାଡକ ଯୋଜନାରେ ମୟୁରଭଞ୍ଜ ଜିଲ୍ଲାରେ ୨ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା ମୟୁରଭଞ୍ଜ ଜିଲ୍ଲାର ୨୨୨ଟି ଗ୍ରାମର ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏଥିପାଇଁ ୧୯୦କୋଟି ୧୮ଲକ୍ଷ ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ ମଞ୍ଜୁରି ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୨ବର୍ଷ ସମୟସୀମା ଧାର୍ଯ୍ୟ କରିଛନ୍ତି । ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଆଉ ଦୁଇଗୋଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ଦେଇଥିବା ବେଳେ ଏଥିପାଇଁ ୨୦୬କୋଟି ୯୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏହାଦ୍ୱାରା କପ୍ତିପଦା ବ୍ଲକର ୧୫୫ଟି ଗ୍ରାମର ବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ସେହିଭଳି କଟକ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବାଙ୍କୀ ଡମପଡା ଓ ବାରଙ୍ଗ ଅଂଚଳର ୩୨ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୩ଟି ଗ୍ରାମ ପାଇଁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏଥିପାଇଁ ୧୮୬.୬୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପ୍ରକଳ୍ପର ସମୟସୀମା ୨୪ ମାସ ରଖାଯାଇଛି । ସେହିଭଳି ସମ୍ବଲପୁର ଜିଲ୍ଲାରେ ୨ଗୋଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏଥିରେ ଯୁଜମୁରା, ମାନେଶ୍ୱର, ନାକଟୀଦେଉଳ, ରେଢାଖୋଲ ଅଧିନରେ ୪୩ଟି ଗ୍ରାମ ପଞ୍ଚାୟତର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ଏଥି ପାଇଁ ୨ ବର୍ଷ ସମୟସୀମା ସହିତ ୩୯୪କୋଟି ୭୬ ଲକ୍ଷ ଟଙ୍କାକୁ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ଅରଗୁଳ ଓ ଖୋଲାଦ୍ୱାରା, କଂସପଦା, ପୋଡପଡା ମୌଜାର ମୋଟ୍‌ ୬୧୮ ଏକର ସରକାରୀ ଜମିକୁ ଆଇଆଇଟି ଭୁବନେଶ୍ୱରକୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଆଇଆଇଟିକୁ ଏହି ପରିମାଣର ଜମି ବିନା ପ୍ରିମିୟମରେ ପ୍ରଦାନ କରିଥିବା ବେଳେ ବାର୍ଷିକ ଏକର ପିଛା ଭୂମି ମୂଲ୍ୟ ବାବଦକୁ ୧ଶହ ଟଙ୍କା ଓ ସେସ୍‌ ବାବଦକୁ ୭୫ ପ୍ରତିଶତ ଦେୟ ଧାର୍ଯ୍ୟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − three =