ସହରାଞ୍ଚଳ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ 100କୋଟି ଘୋଷଣା

0 292

ଭୁବନେଶ୍ୱର : କୋଭିଡ-୧୯ ସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହରମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସହରାଞ୍ଚଳର ୪ଲକ୍ଷ ୫୦ହଜାର ପରିବାର ଉପକାର ପାଇବେ । ଚଳିତ ଅପ୍ରେଲ ମାସରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ମିଶନ ଶକ୍ତିର ମା ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ । ବର୍ତ୍ତମାନର ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ Uraban Wage Employment Intiative ନାମରେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ରାଜ୍ୟର ୧୧୪ଟି ପୌରାଞ୍ଚଳ ଗୁଡିକରେ ରହୁଥିବା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ ।
ଏହି ଯୋଜନାରେ ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିରେ ଡ୍ରେନ ଗୁଡିକରୁ ମାଟି ଓ ଅନ୍ୟାନୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀରଣ, ପାର୍କ, ଖେଳପଡିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନଗୁଡିକର ଉନ୍ନତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାମ, ବନୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହାସହିତ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ ପାଇଁ ସୁଯୋଗ ସୃଷ୍ଟି କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତ୍ୱ ଓ କୋଭିଡ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁପାଳନ କରାଯିବା ଉପରେ ଗୁରୁତ୍ୱଆରୋପ କରାଯିବ । ଏହି କାର୍ଯ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × one =