ତୃତୀୟ ଷ୍ଟେଜରେ ପହଞ୍ଚିନି ଭାରତ, କରୋନା ମୁକାବିଲା ୧୦ଟି କମିଟି ଗଠନ କଲେ ପିଏମ୍‌

0 95

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଏବେବି ନିୟନ୍ତ୍ରଣ ଅବସ୍ଥାରେ ରହିଛି । ଏହା ତୃତୀୟ ଷ୍ଟେଜରେ ପହଞ୍ଚିନାହିଁ । ଅର୍ଥାତ୍ ଦ୍ୱିତୀୟ ପର୍ଯ୍ୟାୟରେ ସୀମିତ ରହିଛି । ଗୋଷ୍ଠୀ ସଂକ୍ରମଣକୁ ହିଁ ତୃତୀୟ ଷ୍ଟେଜ୍ ବୁଝାଯାଏ । ସେହି ଷ୍ଟେଜକୁ ଯେପରି ଦେଶ ନ ଯିବ, ସେଥିଲାଗି ସରକାର ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି । ମନ୍ତ୍ରଣାଳୟ କହିଛି ଯେ, ସୋମବାର କୋରନାରେ ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦୭୧କୁ ବୃଦ୍ଧି ପାଇଛି । କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଏକ ୧୦ଟି ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ତେଣୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ବିଦେଶ ଗସ୍ତ କରିନଥିବା କିମ୍ବା କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ନଆସି ମଧ୍ୟ ଅନେକ ଲୋକ ସଂକ୍ରମିତ ହୋଇଛନ୍ତି । ଏହି କାରଣରୁ ଭାରତ ତୃତୀୟ ଷ୍ଟେଜରେ ପହଞ୍ଚି ଗଲାଣି ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି । ତେବେ ଏହା ଅମୂଳକ । ସେଭଳି ଷ୍ଟେଜରେ ଆମେ ପହଞ୍ଚିନାହୁଁ । କିନ୍ତୁ ଲୋକମାନେ ସତର୍କ ନହେଲେ ଏବଂ କଟକଣା ନ ମାନିଲେ ସେହି ଷ୍ଟେଜକୁ ଯିବା କିଛି ଅସମ୍ଭବ ନୁହେଁ । ତେଣୁ ବର୍ତ୍ତମାନ ସ୍ଥିତିରେ ସମସ୍ତଙ୍କୁ କଟକଣା ମାନି ଘରେ ରହିବା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଇତି ମଧ୍ୟରେ ମହାରାଷ୍ଟ୍ର ଓ ଗୁଜରାଟରେ ଆଜି ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିବା ବେଳେ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ୫୨ବର୍ଷ । ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ ।

hiranchal ad1
Leave A Reply

Your email address will not be published.

five × 2 =