ନିଶା ସ୍ପ୍ରେ କରି ମହିଳାଙ୍କ ଠାରୁ ସୁନା ଲୁଟ୍‌

0 378

ଦାରିଙ୍ଗବାଡି, ୩୦/୪- ଦାରିଙ୍ଗବାଡି ଥାନା ସିମନବାଡି ସ୍ଥିତ ପାଟଖଣ୍ଡା ସାହିର ଜଣେ ମହିଳାଙ୍କୁ ନିଶା ଔଷଧ ସ୍ପ୍ରେ କରି ସୁନା ଅଳଙ୍କାର ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ପାଟଖଣ୍ଡାସାହିରେ ରହୁଥିବା ନାରାୟଣ ବେହେରାଙ୍କ ଘରକୁ ବୁଧବାର ରାତି ପ୍ରାୟ ୮ଟା ସମୟରେ କିଛି ଦୁବୃର୍ତ୍ତ ଘରେ ପହଞ୍ଚି ସେମାନଙ୍କୁ ମଦ କେଉଁଠି ମିଳୁଛି ବୋଲି ପଚାରିଥିଲେ । ମଦ ଆଣିଯିବାକୁ ନାରାୟଣଙ୍କୁ ଜଣେ ଦୁବୃର୍ତ୍ତ ବାଇକରେ ବସାଇ ସିମନବାଡି ବଜାର ଆଡକୁ ଯାଇଥିଲେ । ଘରେ ତାଙ୍କ ସ୍ତ୍ରୀ ସୁନେଲି ଏକୁଟିଆ ଥିବାବେଳେ ସେଠାରେ ରହିଥିବା ଆଉଜଣେ ଦୁବୃର୍ତ୍ତ ସୁନେଲିଙ୍କୁ ନିଶା ସ୍ପ୍ରେକରି ଅଚେତକରି ସେ ବେକରେ ପିନ୍ଧିଥିବା ସୁନା ମାଳି ଓ ସୁନା କାନଫୁଲ ନେଇ ଫେରାର ହୋଇଯାଇଥିଲା । ସୁନା ଲୁଟିବା ପରେ ଘରେ ଥିବା ଦୁବୃର୍ତ୍ତ ଜଣକ ବାଇକରେ ଯାଉଥିବା ଅନ୍ୟ ଜଣେ ଦୁବୃର୍ତ୍ତ ଙ୍କୁ ଫୋନକରି ଜଣାଇଥିଲେ । ଏହାପରେ ନାରାୟଣଙ୍କୁ ଧରି ବାଇକରେ ଯାଉଥିବା ଦୁବୃର୍ତ୍ତ ଜଣକ ମଦ ଆଉ ଦରକାର ନାହିଁ ବୋଲି କହି ନାରାୟଣଙ୍କୁ ବନ୍ଧ ନିକଟରେ ଛାଡ଼ି ଚାଲିଯାଇଥିଲା । ଏହାପରେ ନାରାୟଣ ନିଜ ଘରକୁ ଫେରି ଦେଖିବା ବେଳେ ସ୍ତ୍ରୀ ଅଚେତ ହୋଇ ପଡିରହିବା ସହ ସୁନାମାଳି ଓ କାନଫୁଲ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ସାହି ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚି ଅଚେତ ଅବସ୍ଥାରେ ଥିବା ମହିଳାଙ୍କୁ ନେଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ ଦାରିଙ୍ଗବାଡି ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ପୋଲିସ ଏନେଇ ମାମଲା ନଂ ୭୪/୨୧ ରୁଜୁକରି ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

five × one =