ବଜ୍ରପାତରେ ନାବାଳିକା ମୃତ

0 157

ଦାରିଙ୍ଗବାଡି,୩୦/୪- ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପେତରବାଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆମ୍ବ ନେଇ ଫେରୁଥିବା ସମୟରେ ବଜ୍ରପାତରେ ଜଣେ ୧୧ ବର୍ଷୀୟ ନାବାଳିକା ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ମୃତକ ନାବାଳିକା ଜଣକ ହେଲେ ପେତରବାଡି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଝିଅ ଦୀପାଳି ପ୍ରଧାନ(୧୧) । ସୂଚନା ମୁତାବକ ଦୀପାଳି ପ୍ରଧାନ ଓ ତାଙ୍କ ବଡ ଭାଇ ଓ ସାନ ଭଉଣୀଙ୍କ ସହ ମିଶି ଘର ନିକଟରେ ଥିବା ଆମ୍ବ ଗଛକୁ ଆମ୍ବ ତୋଳିବାକୁ ଯାଇ ଘରକୁ ଫେରୁଥିଲେ । ହେଲେ ଏହି ସମୟରେ ଦୀପାଳି ପ୍ରଧାନଙ୍କ ଉପରେ ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ଦୀପାଳି ପ୍ରଧାନ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ପାଖରେ ଥିବା ଏକ ପଥର ମଧ୍ୟ ବଜ୍ରପାତର ପ୍ରଭାବରେ ଫାଟିଯାଇଥିଲା । ଅନ୍ୟ ପଟେ ଏହି ବଜ୍ରପାତର ପ୍ରଭାବରୁ ଦୀପାଳିର ଭାଇ ଓ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆମ୍ବ ତୋଳି ଘରକୁ ଫେରିବାବେଳେ ଦୀପାଳିଙ୍କ ଭାଇ ଘର ଭିତରକୁ ଯାଇଥିବା ବେଳେ ଭଉଣୀ ପଛରେ ପଛରେ ଆସୁଥିଲେ । ଯଦ୍ୱାର ଦୀପାଳିଙ୍କ ଭାଇଭଉଣୀଙ୍କୁ ବଜ୍ରପାତ ସ୍ପର୍ଶ କରିପାରିନଥିଲା । ଦୀପାଳିଙ୍କ ମୃତ ଶରୀରକୁ ପରିବାର ଲୋକ ମେଡିକାଲକୁ ଆଣି ଦାରିଙ୍ଗବାଡି ଥାନାରେ ଏକ ଏତଲା ପ୍ରଦାନ କରିଥିଲେ । ପୋଲିସ ଏତଲା ପାଇବା ପରେ ଏନେଇ ଅପମୃତ୍ୟୁ ମାମଲା ୭/୨୧ ରୁଜୁ କରି ଶବ ଜବତ କରିବା ପରେ ଏହାକୁ ବ୍ୟବଛେଦ କରି ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର କରିଥିବା ଏସଆଇ ସୌମ୍ୟରଞ୍ଜନ ଜେନା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four + sixteen =