ଲକ୍ ଡାଉନ ଯୋଗୁଁ ଗୁଜୁରାଟରେ ହଇରାଣ ହେଉଛନ୍ତି ବୌଦ୍ଧର ୭ଦାଦନ

0 1,425

ବୌଦ୍ଧ : ଲକଡାଉନ ଯୋଗୁଁ ଅଧିକ ହଇରାଣ ହେଉଛନ୍ତି ଅନ୍ୟ ରାଜ୍ୟକୁ କାମ କରିଯାଇଥିବା ଶ୍ରମିକମାନେ । ସେମାନଙ୍କର ଅବସ୍ଥା ସବୁଠାରୁ ବେଶି ସଙ୍ଗୀନ । ପ୍ରତ୍ୟେକ ଦିନରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକମାନଙ୍କର ଦୁଃଖ ଓ ଦୈନ୍ୟର କାହାଣୀ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିବା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୁଜୁରାଟ ରାଜ୍ୟର ସୁରତ ନିକଟରେ ଫସି ରହିଥିବା ୭ଜଣ ଶ୍ରମିକଙ୍କ କଥା ଚର୍ଚ୍ଚାର ବିଷୟ ସାଜିଛି । ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରାର ୫ଜଣ ଓ ପଦ୍ମନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ ଖଲିଗାଁ ଗ୍ରାମର ୨ଜଣ ଶ୍ରମିକ ସଙ୍ଗମ ନାମକ ଏକ ଶାଢୀ ପ୍ରିଣ୍ଟ କାରଖାନାରେକାମ କରୁଥିଲେ । ସୁରତ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାନଗର ରୋଡ ଭଗୁନଗରଠାରେ ଏକ ଭଡା ଘରେ ନେଇ ରହୁଥିଲେ । ଲକଡାଉନ ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିବାରୁ ଏବେ ଭଡା ଘର ମଧ୍ୟରେ ହିଁ ସେମାନେ ଭୋକ ଉପାସରେ ପଡି ରହିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାତ୍ର ୨କିଲୋ ଚାଳ, ୫କିଲୋ ଅଟା ଓ ଡାଲି ୧କିଲୋ ଲେଖାଏଁ ଯୋଗାଇ ଦେଇଥିବା ପ୍ରକାଶ କରନ୍ତି ।
ସେଠାରେ ସେମାନଙ୍କର ସହାୟତା କରିବା ସକାଶେ ବୌଦ୍ଧ ଉପଜିଲ୍ଲାପାଳ ତଥା ଲକଡାଉନର ନୋଡାଲ ଅଧିକାରୀ ଶ୍ରୀ ଜ୍ୟୋତିରଂଜନ ନାଏକଙ୍କ ନିକଟକୁ ହ୍ୱାଟ୍ସଆପ ଯୋଗେ ଲିଖିତ ଅନୁରୋଧ ପଠାଇଛନ୍ତି । କଂପାନୀ ସେମାନଙ୍କୁ କୌଣସି ସହଯୋଗ କରିନଥିବା ଓ କାମ ବନ୍ଦ ଯୋଗୁଁ ପାରିଶ୍ରମିକ ହରାଇ ସେମାନେ ସେଠାରେ ବହୁତ ହଇରାଣରେ ଅଭାବ ଅସୁବିଧା ମଧ୍ୟରେ ଭୋକ ଉପାସରେ ପଡି ରହିଥିବା ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଉପଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେମାନଙ୍କଠାରୁ ପ୍ରକାଶ । ସୁରତରେ ଫସିଥିବା ଶ୍ରମିକ ମାନେ ହେଲେ ବଲାକିରାର ସ୍ୱାଧୀନ କୁମାର ସାହୁ, କମଳ ଲୋଚନ ପ୍ରଧାନ, ମିଥୁନ ସାହୁ, ପିଙ୍କୁନ ସାହୁ, କୁନା ପାତ୍ର, ବଡ ଖଲିଗାଁର ଶ୍ରୀକାନ୍ତ ସାହୁ ଓ ଚୌଧୁରୀ ସାହୁ ।

hiranchal ad1
Leave A Reply

Your email address will not be published.

14 − 6 =