କରୋନା ଯୋଡ଼ିଲା ଓଡ଼ିଶା ଇତିହାସରେ ନୂଆ ଅଧ୍ୟାୟ :ଦେଢ଼ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ୍ ପାରିତ

0 96

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ବିଶ୍ୱବ୍ୟାପୀ କାୟା ମେଲାଇଥିବା ମହାମାରୀ କରୋନା ଏକ ନୂଆ ଫର୍ଦ୍ଦ ସୃଷ୍ଟି କରିଛି । ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ଲୋକସେବା ଭବନର କନଭେନ୍‌ସନ୍ ସେଣ୍ଟରରେ ଆଜି ବସିଥିଲା । ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେବା ପରେ ବାଚସ୍ପତି ଶ୍ରୀ ପାତ୍ର ପ୍ରଶ୍ନକାଳକୁ ବାତିଲ୍ କରି ଖର୍ଚ୍ଚଦାବିକୁ ଗିଲୋଟିନ୍‌ରେ ପାରିତ ପାଇଁ ପ୍ରସ୍ତାବ ରଖିଥିଲେ । ଏସ୍‌ସି/ଏସ୍‌ଟି ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନ୍‌ରେ ଗୃହର ସହମ୍ମତି ନେଇ ଅନୁମୋଦନ କରାଯାଇଥିଲା । ଏହାପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୫ ମିନିଟ୍ ପାଇଁ ମୂଲତବୀ ଘୋଷଣା କରିଥିଲେ । ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବାରୁ ବାଚସ୍ପତି ଶ୍ରୀ ପାତ୍ର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ଆଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ଦେଢ଼ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ୍‌କୁ ଆଗତ କରିବା ସହିତ ଏହା ଉପରେ ନିଜର ସଂକ୍ଷିପ୍ତ ମତ ରଖିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ପ୍ରସଙ୍ଗରେ ଉଠାଇ ଗ୍ରାମାଞ୍ଚଳ ଲୋକଙ୍କର ଦୂରାବସ୍ଥା ସଂପର୍କରେ କହିବା ସହିତ ଲକ୍‌ଡାଉନ୍ ଭଳି କଟକଣାରୁ ସାଧାରଣ ଲୋକଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଉପରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟଥା ଲୋକେ ବାହାରକୁ ବାହାରିବା ବାଧ୍ୟ ହେବେ ବୋଲି ସେ କହିଥିଲେ । ଶ୍ରୀ ନାୟକ କହିଥିଲେ ଯେ, ବର୍ତ୍ତମାନ ସମୟ କାହାକୁ ନିନ୍ଦା କରିବା ବେଳ ନୁହେଁ । କରୋନା ମହାମାରୀକୁ ଜିତିବା ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ଲଢ଼େଇ କରିବା । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅତୀତର ସଫଳତାର ବେଶ୍ ସନ୍ତୋଷଜନକ । ତେଣୁ ଏଥିପାଇଁ ଆତ୍ମସନ୍ତୋଷ ଲାଭ ନକରି ଲୋକଙ୍କର ଅଧିକ ନିକଟତର ହେବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ବ୍ୟୟ ମଞ୍ଜୁରି ବିଲ୍ ଆଲୋଚନାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ । ସେ କହିଥିଲେ, ଲକ୍‌ଡାଉନ୍ ଭଳି କଟକଣାରୁ ଚାଉଳ ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି । ପୁଲିସ୍ ମାତ୍ରାଧିକ ଆଚରଣ ପ୍ରଦର୍ଶନରୁ କ୍ଷାନ୍ତ ରହିବା ଦରକାର । ସରକାର ପୂର୍ବରୁ କହିଥିଲେ, ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ବୁଲି ବୁଲି ଲୋକଙ୍କୁ ସଚେତନ କରାନ୍ତୁ । କିନ୍ତୁ ଲକ୍‌ଡାଉନ୍ ପାଇଁ ସେମାନେ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ବିଧାୟକମାନଙ୍କ ଆଚରଣ କ\’ଣ ହେବା ଦରକାର ବୋଲି ସରକାର ସ୍ପଷ୍ଟ କରିବା ଉଚିତ୍ । କରୋନା କାରଣରୁ ରାଜ୍ୟରେ କେବଳ ରୋଗଜନିତ ସମସ୍ୟାର ଭୟ ରହିଛି, ତାହା ନୁହେଁ । ଏଥିପାଇଁ ଅର୍ଥନୀତି ମଧ୍ୟ ଭୁଶୁଡ଼ି ଯାଇପାରେ । ସରକାର ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ସହିତ ଯେଉଁସବୁ ନିର୍ଦ୍ଦେଶନାମା ଲୋକଙ୍କ ପାଇଁ ଜାରି କରାଯାଉଛି ସେଥି ମଧ୍ୟରୁ ଅନେକ କଥା ଅବୁଝା ରହୁଥିବାରୁ କ\’ଣ କରିବେ, କ\’ଣ ନକରିବେ ପ୍ରଚାରପତ୍ର ଜରିଆରେ ସାଧାରଣ ଳୋକଙ୍କ ନିକଟରେ ପହଞ୍ଚାଯାଉ । ଏହି ଅବସରରେ ଶ୍ରୀ ମିଶ୍ର ବ୍ୟୟ ମଞ୍ଜୁରି ବିଲ୍ ପାରିତ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର ସଦସ୍ୟମାନଙ୍କର ମତାମତକୁ ନେଇ ବ୍ୟୟ ମଞ୍ଜୁରି ବିଲ୍‌କୁ ପାରିତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସରକାରୀ ଦଳର ମୁଖ୍ୟ ସଚେତକ ବାଚନିକ ଭୋଟରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ପାଇଁ ପ୍ରସ୍ତାବ ରଖିବାରୁ ଗୃହରେ ଉପସ୍ଥିତ ସଦସ୍ୟଙ୍କ ସହମତିକ୍ରମେ ବାଚନିକ ଭୋଟରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହୋଇଥିଲା । ଗୃହର ଶେଷ କାର୍ଯ୍ୟକ୍ରମ ସ୍ୱରୂପ ଗୃହକାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ମୂଲତବୀ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପ୍ରସ୍ତାବ ଓ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏହାକୁ ସମର୍ଥନ କରିବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୂଲତବୀ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଷୋଡ଼ଶ ବିଧାନସଭାର ଏହି ଅଧିବେଶନରେ ମାତ୍ର ୧୩ଟି କାର୍ଯ୍ୟ ଦିବସ କାର୍ଯ୍ୟକାରୀ ହୋଇଥିଲା ।

hiranchal ad1
Leave A Reply

Your email address will not be published.

13 − 10 =