ଚାଷୀଙ୍କ ପାଇଁ କୋହଳ ହେଲା ଲକଡାଉନ

0 481

ବୌଦ୍ଧ : କରୋନା ଯୋଗୁଁ ସରକାର ଲକଡାଉନ ଘୋଷଣା କରିବା ପରେ ସବୁଠାରୁ ଅଧିକ କ୍ଷତି ସହୁଥିଲେ ରାଜ୍ୟର ଚାଷୀମାନେ । ନିଜର ଉତ୍ପାଦିତ କୃଷି ସାମଗ୍ରୀର ବିକ୍ରିବଟା, ବଜାର ସୁବିଧା ଓ ପରିବହନ କ୍ଷେତ୍ରରେ ଲକଡାଉନର କଟକଣା ଯୋଗୁଁ ଚାଷୀମାନଙ୍କ ମୁଣ୍ଡରେ ଅଦିନଚଡକ ପଡିଥିଲା । ଚାଷୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀଙ୍କ ପାଇଁ ଲକଡାଉନ କୋହଳ କରିବା ସକାଶେ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

hiring


ଯେଉଁ ଚାଷୀ ଭାଇମାନେ ଚଳିତ ରବି ଋତୁରେ ବିଭିନ୍ନ ପ୍ରକାର ପନିପରିବାର ଅମଳ କରୁଛନ୍ତି ସେମାନଙ୍କ ପାଇଁ ଲକଡାଉନ ନିୟମକୁ କୋହଳ କରାଯିବ । ସେମାନେ ନିଜର ଉତ୍ପାଦିତ ସାମଗ୍ରୀର ବିକ୍ରୟ ପାଇଁ ନିକଟସ୍ଥ କୃଷି ବଜାରକୁ ନେଇପାରିବେ । ନିଜ ଉତ୍ପାଦିତ ପଦାର୍ଥକୁ ଗାଡିରେ ବୋଝେଇ କରି ନେବା ପାଇଁ ମଧ୍ୟ କୌଣସି ବାଧାନାହିଁ ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଆଦେଶନାମା ଜାରି କରିଛନ୍ତି । ଏଥିପାଇଁ ପନିପରିବା କରୁଥିବା ଚାଷୀମାନେ ନିକଟସ୍ଥ ଗ୍ରାମ୍ୟ କୃଷି କର୍ମଚାରୀ ବା ଉଦ୍ୟାନ କର୍ମଚାରୀଙ୍କ ସହ ଯୋଗାଯୋଗ କରି ଅନୁମତି ଲାଭ କରିପାରିବେ ।


ଏତଦବ୍ୟତୀତ ଓଡିଶା ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ କହିଛି ଯେ, ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହୋଇଯାଇଛି । ଏହି ସମୟରେ କରୋନା ଭୂତାଣୁ ସଂକ୍ରମଣ ଜନିତ ଲକଡାଉନ ଭଳି ପରିସ୍ଥିତିରେ ମଧ୍ୟ କୃଷକମାନେ ନିଜ ଜମିରେ ଚାଷ କରିପାରିବେ । ନିଜର ହେଉ କିମ୍ବା ଭଡା ସୂତ୍ରରେ ହେଉ କୃଷି ଯନ୍ତ୍ରପାତିର ବ୍ୟବହାର କରିପାରିବେ । ଚାଷ ପାଇଁ ଯାଉଥିବା ଟ୍ରାକ୍ଟର, ପାୱାର ଟିଲର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ରାସ୍ତାରେ ପୁଲିସ ଲକଡାଉନ ନାମରେ ଅଟକାଇ ପାରିବେ ନାହିଁ । ଏଥିପାଇଁ ଚାଷୀମାନେ ନିକଟସ୍ଥ କୃଷି କର୍ମଚାରୀଙ୍କ ସହ ଯୋଗାଯୋଗ କରି ଅନୁମତି ହାସଲ କରିପାରିବେ । କୃଷି ଉତ୍ପାଦନ ବୃଦ୍ଧି ଓ ବିପଣନ ପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗ ନେଇଥିବା ପଦକ୍ଷେପ ନିଶ୍ଚିତ ଭାବରେ କୃଷକମାନଙ୍କୁ ଆଶ୍ୱାସ୍ତ କରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

two × 1 =