ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ଶ୍ରୀଦେବୀ

0 111

ପୁରୀ: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଭାଇଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନରେ ରହିଛନ୍ତି ଶ୍ରୀଦେବୀ। ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି ଶ୍ରୀଦେବୀ। ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ଶ୍ରୀଦେବୀଙ୍କୁ କୁହନ୍ତି। ଏଥିରେ ରାଗିଯାଇ ଫେରିବା ବେଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଦେଇଯାଆନ୍ତି। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ଆଜି ପାଳିତ ହେବ ଏହି ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ଣ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ଣ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ବଢ଼ିବ। ଏହପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆ ଲୁଗା ଲାଗି ଏବଂ ଅଳଙ୍କାର ଲାଗି ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟା ଧୂପ ସମ୍ପନ୍ନ ହେବ। ସନ୍ଧ୍ୟା ଧୂପ ପୂଜା ବସିଥିବା ସମୟରେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ରାତି ୯ଟା ୩୦ରେ ଜଗମୋହନକୁ ବିଜେ କରିବେ। ଏହାପରେ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡ଼ିବ। ରାତି ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢ଼ିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତି ୧ଟା ସୁଦ୍ଧା ପହୁଡ଼ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି।

hiranchal ad1
Leave A Reply

Your email address will not be published.

1 + 10 =