ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଯୁବକଙ୍କୁ ଜେଲ୍‌

0 163

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ଅତିରିକ୍ତ ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଆଜି ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ ଜେଲ୍‌ ଓ ଜୋରିମାନା ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୧- ୦୩- ୨୦ ତାରିଖରେ ଫିରିଙ୍ଗିଆ ଥାନାରେ ଜଣେ ଯୁବତୀଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନା କେଶ୍‌ ନମ୍ବର ୨୨ / ୨୦ ରୁଜ୍ଜୁ ହୋଇଥିଲା ।
ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମର ପ୍ରଶାନ୍ତ କୁମାର ମହାକୁଡ଼ ନାମକ ଜଣେ ଯୁବକ ଅଭିଯୋଗକାରିଣୀ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପହରଣ କରି ନେଇଥିଲେ ଓ ତାଙ୍କ ଘରେ ଦୁଇମାସ ପର୍ଯ୍ୟନ୍ତ ଅଟକ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ମଧ୍ୟ ପରେ ତାଙ୍କୁ ବିବାହ ନକରି ଛାଡ଼ି ଦେଇଥିଲେ । ଯୁବତୀ ଜଣକ କିଛି ଦିନ ଅପେକ୍ଷା କରିଥିଲେ ମଧ୍ୟ ଯୁବକ ଫେରିନଥିଲେ । ଏଣୁ ଯୁବତୀ କେଶ୍‌ କରିଥିଲେ ।
ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କ ବିରୋଧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାର ବିଚାର କରି ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ଅତିରିକ୍ତ ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଦୋଷୀ ଯୁବକଙ୍କୁ ଦଫା ୩୬୬/ ୩୪୪ରେ ଦଣ୍ଡିତ କରିଛନ୍ତି ।
ଦଫା ୩୬୬ ରେ ୩ ବର୍ଷ ଜେଲଦଣ୍ଡ ସହ ଦଶ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ତିନି ମାସ ଜେଲଦଣ୍ଡ ଏବଂ ଦଫା ୩୪୪ ରେ ଏକବର୍ଷ ଜେଲଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

one × 4 =