କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :ଶ୍ରମିକଙ୍କ ପାଇଁ କ’ଣ କରିଛ ଜଣାଅ

0 92

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିବା ବେଳେ ସଂପୃକ୍ତ ରାଜ୍ୟଗୁଡିକ ସୀମା ସିଲ୍ କରିଦେଇଛନ୍ତି । ତେବେ ଅଟକି ଥିବା ଶ୍ରମିକମାନଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ଠିକ୍ ଭାବରେ ଓ ପର୍ଯ୍ୟାପ୍ତ ଭାବେ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । କୋର୍ଟ ଆଜି ସେହି ମାମଲା ଉପରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅଟକି ରହିଥିବା ଶ୍ରମିକମାନଙ୍କ ପାଇଁ କ\’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତୁରନ୍ତ ଜଣାଅ । ଆସନ୍ତାକାଲି ଜବାବ୍ ଦାଖଲ ପାଇଁ ସରକାରଙ୍କୁ କୁହାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଏହି ଶୁଣାଣି ହୋଇଥିଲା । ଶୁଣାଣି ବେଳେ ପ୍ରଧାନବିଚାରପତି ଜଷ୍ଟିସ୍ ଏସ୍ ଏ ବୋଗଡେ କହିଥିଲେ ଯେ, ଶ୍ରମିକମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କର ଆତଙ୍କ ଦିନକୁ ଦିନ ବଢୁଛି । ଏଭଳି ଆତଙ୍କ କରୋନା ଭାଇରସଠାରୁ ମଧ୍ୟ ଯଥେଷ୍ଟ ଅଧିକ । ଏହି ସମସ୍ୟାର ସମାଧାନ ପାଇଁ ସରକାର ଯଦି କିଛି ବ୍ୟବସ୍ଥା କରିଛନ୍ତି ତେବେ କୋର୍ଟ ସରକାରଙ୍କୁ ଅଯଥାରେ ନିର୍ଦ୍ଦେଶ ଦେଇ ଅଡୁଆରେ ପକାଇବାକୁ ଚାହୁଁନାହାନ୍ତି । କିନ୍ତୁ ଏକାଧିକ ଅଭିଯୋଗ ଦର୍ଶାଇ ମାମଲା ଦାୟର ହୋଇଥିବାରୁ ଶ୍ରମିକଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ କୋର୍ଟ ଚାହୁଁଛନ୍ତି । ଏ ଦୃଷ୍ଟିରୁ କେନ୍ଦ୍ରକୁ ଜବାବ୍ ଦାଖଲ ପାଇଁ କୁହାଯାଇଛି ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

four + twelve =