କନ୍ଧମାଳ ଜିଲ୍ଲାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

0 26

ଫୁଲବାଣୀ :କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍‌ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୩ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ ନବ ବର୍ଷ ୨୦୨୩କୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଅଧ୍ୟକ୍ଷ ମହୋଦୟ ସମସ୍ତଙ୍କୁ କହିଥିଲେ ଓ ନବ ବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ । ସେହିପରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍‌ ଅଗ୍ରୱାଲ୍‌ ଶାନ୍ତି ଶୃଙ୍ଖଳାର ଓ ଆନନ୍ଦର ସହିତ ବଡ଼ଦିନ ଓ ନବବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । କନ୍ଧମାଳ ଏକ ଶାନ୍ତି ପ୍ରିୟ ଜିଲ୍ଲା । ଏହାର ଅଧିବାସୀମାନେ ପ୍ରତ୍ୟେକ ଭାଇଚାରାରେ ସାହାଯ୍ୟ ସହାନୁଭୁତି ପ୍ରଦାନ କରିଥାନ୍ତି । କୋଟଗଡ଼ର ଜଣେ ବ୍ୟକ୍ତି କହିଥିଲେ ଯେ,ହିନ୍ଦୁ ଭାଇମାନେ ଦୁର୍ଗାପୂଜା କଲେ ଆମ୍ଭେମାନେ ସେମାନଙ୍କୁ ସହଯୋଗ କରୁ ଏବଂ ସେମାନେ ମଧ୍ୟ ଆମ୍ଭମାନଙ୍କୁ ସହଯୋଗ କରନ୍ତି । ପୂର୍ବର ପରିସ୍ଥିତି ଆଉ ନାହିଁ । ଆମ୍ଭେମାନେ ଶାନ୍ତି ପ୍ରେମର ରାଜା ପ୍ରଭୁ ଯୀଶୁଙ୍କର ପର୍ବ ଆନନ୍ଦର ସହ ପାଳନ କରିବୁ । ସେହିପରି ରାଇକିଆରୁ ଆଗତ ନାରାୟଣ ପ୍ରସାଦ ମହାନ୍ତି କହିଥିଲେ ଯେ, ରାଇକିଆରେ ୬୫ଟି ଚର୍ଚ୍ଚା ଅଛି ବିଜୁଳି କାଟ୍‌ ସମୟରେ ବହୁତ ଅସୁବିଧା ହୁଏ । କିଛି ସ୍ଥାନରେ ବିଦ୍ୟୁତ୍‌ କାଟ୍‌ ସମୟରେ ବଡ଼ ଦିନ ପାଳନରେ ବହୁ ଅସୁବିଧା ହୋଇଥାଏ । ଏଥିପ୍ରତି ନଜର ଦେବାକୁ ସେ ଅନୁରୋଧ କରିଥିଲେ । ସେହିପରି ତୁମୁଡ଼ିବନ୍ଧର ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନିଶାକୁ ନିଷେଧ କରାଗଲେ ଭଲ ହୁଅନ୍ତା ବୋଲି କହିଥିଲେ । ସେହିପରି ଡକ୍ଟର ଅରୁପ କୁମାର ଜେନା କହିଥିଲେ ଯେ, ଯଦି ଆମେ ଏହି ଜିଲ୍ଲାକୁ ଭଲପାଉ, ମାଟିକୁ ଭଲପାଉ ତେବେ ଏହି ଜିଲ୍ଲାର କିପରି ସର୍ବାଙ୍ଗୀନ ଉନ୍ନତି ହେବ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଏହି ଜିଲ୍ଲାରେ ଏବେ ଶାନ୍ତ ରହିଛି । ବଡ଼ଦିନକୁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଆନନ୍ଦରେ ପାଳନ କରିବେ । ଆମେ ସମସ୍ତେ ସତରେ ରହିବା ଭଲ ଏବଂ ସତ୍ୟକୁ ଜାଣିବା ଭଲ ବୋଲି କହିଥିଲେ । ଲମ୍ବୋଦର କହଁର କହିଥିଲେ ଯେ, ଆଦିବାସୀ ମାନେ ଶାନ୍ତି ପ୍ରିୟ । ସେମାନେ ନିଜ ଅଧିକାର ପାଇଁ ଦାବି କରନ୍ତି କିନ୍ତୁ କାହାରି ସହିତ କଳିଗୋଳ କରିବାକୁ ଭଲପାଆନ୍ତି ନାହିଁ କିମ୍ବା କୌଣସି ଧର୍ମକୁ କୁଠାରଘାତ କରନ୍ତି ନାହିଁ । ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ସମସ୍ତଙ୍କ ମତାମତକୁ ସ୍ୱାଗତ ଜଣାଇ ଅଧ୍ୟକ୍ଷ ମହୋଦୟ ସେମାନଙ୍କର ଦାବି ଗୁଡ଼ିକର ଆଶୁ ସମାଧାନ କରାଯିବ ବୋଲି କହିଥିଲେ । ବୈଠକକୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପରିଚାଳନା କରିଥିବାବେଳେ ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ବାଲିଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପ- ଜିଲ୍ଲାପାଳ,କନ୍ଧମାଳ, ଉପ-ଜିଲ୍ଲାପାଳ,ବାଲିଗୁଡ଼ା, ଏସ୍‌.ଡି.ପି.ଓ.,ବାଲିଗୁଡ଼ା, ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ, ସମସ୍ତ ସରକାରୀ ପଦାଧିକାରୀ,କୁଇ ସମାଜର ମୁଖ୍ୟ, ସଂଖ୍ୟାଲଘୁ ସମ୍ପ୍ରଦାୟର ମୁଖ୍ୟ ତଥା ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟ, ଜନ ପ୍ରତିନିଧ୍‌, ଗଣମାଧ୍ୟମର ପ୍ରତିିଧିମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one + 5 =