ନିରାଡମ୍ବରରେ ପାଳିତ ହେଲା ମା ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା

0 103

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ପ୍ରସିଦ୍ଧ ଶୀତୁଳା ଯାତ୍ରା ବୁଧବାର ଦିନ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିରରେ ଏହି ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଉଥିବା ବେଳେ ଚଳିତ ବର୍ଷ କୋରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ଭକ୍ତମାନଙ୍କୁ ମନ୍ଦିର ଓ ପୂଜାସ୍ଥଳୀକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ମା ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମକୁ ଦିଅଁଘରୁ ବଡମଣ୍ଡପ ଅଣାଯାଇଥିଲା । ସେଠାରେ ଦେହୁରୀ ଷୋଡଶ ଉପଚାର ପୂଜା କରି ମାଙ୍କ ଆରଧନା କରିଥିଲେ । ଏହାପରେ ପୀଠରେ ଥିବା ପାଂଚ ପୀଢ ଯଥା-ମା ହିଙ୍ଗୁଳା,ମା କରଡେଇ, କୁଟେଇଶୁଣୀ, ଖୁମ୍ବେଶ୍ୱରୀ ଓ କଳାପାଟଙ୍କର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ କରାଯାଇଥିଲା ।

hiring

ସନ୍ଧ୍ୟାରେ ଅଳ୍ପ କେତେକ ସେବାୟତ ଓ ଦେହୁରୀଙ୍କ ଉପସ୍ଥିତିରେ ଯଥେଷ୍ଟ ସାମାଜିକ ଦୂରତା ଅବଲମ୍ବନ କରି ମା ଙ୍କ ଆଲମକୁ ଉଭାସ୍ଥଳୀକୁ ନିଆଯାଇଥିଲା । ଚଳିତ ବର୍ଷ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ଚାରିି ଶହ ମିଟର ଦୂର ଅରା ବାଉଁଶ ବଣ ପଡିଆରେ ମା ହିଙ୍ଗୁଳା ଅଗ୍ନିରୂପରେ ଉଭା ହୋଇଥିଲେ । ସେଠାରେ ଦେହୁରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଙ୍କର ପଂଚପୋଚାର ପୂଜା କରିବା ସହ ମା ଅଗ୍ନିରୂପାଙ୍କୁ ଉଖୁଡା,ଗୁଡ,ଘିଅ, ମହୁ, ନୈବେଦ୍ୟ ଆଦି ଅର୍ପଣ କରିଥିଲେ । ଏହାପରେ ଶୀତୁଳା ପୂଜା ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର ସିଂହ ଉପସ୍ଥିତ ରହି ମା ଙ୍କ ପୂଜାର୍ଚ୍ଚନା କରିବା ସହ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଏହାପରେ ଉଭାସ୍ଥଳୀରେ ଥିବା ଚାନ୍ଦୁଆ ଲାଗି ହୋଇଥିଲା । ଶେଷରେ ବଡମଣ୍ଡପକୁ ମା ହିଙ୍ଗୁଳାଙ୍କ ଆଲାମକୁ ବିଜେ କରାଯାଇ ସେଠାରେ ମା ଙ୍କ ଅଧରପଣା ନୀତି ସଂପନ୍ନ କରାଯାଇଥିଲା । ଚଳିତ ବର୍ଷ ମନ୍ଦିରର ଚତୁଃପାଶ୍ୱର୍ ଓ ଉଭାସ୍ଥଳୀ ସମେତ ବିଭିନ୍ନ ଛକ ଜାଗାରେ ପୋଲିସ ମୂତୟନ କରାଯାଇଥିବାରୁ କୌଣସି ଶ୍ରଦ୍ଧାଳୁ ମା ଙ୍କ ଯାତ୍ରାସ୍ଥଳୀକୁ ଯାଇପାରି ନ ଥିଲେ ।

hiranchal ad1
Leave A Reply

Your email address will not be published.

17 + 5 =