ସପ୍ତାହିକ ହାଟ ସ୍ଥାନ ଜବରଦଖଲ ଉଚ୍ଛେଦ ଆରମ୍ଭ

0 171

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସାପ୍ତାହିକ ହାଟ ସ୍ଥାନକୁ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରିଥିବା କିଛି ବ୍ୟବସାୟୀଙ୍କ କ୍ୟାବିନକୁ ପୌରପରିଷଦ ପକ୍ଷରୁ ଗୁରୁବାର ଉଚ୍ଛେଦ କରାଯାଇଛି । ତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି । ଆଦିବାସୀଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହରରେ ପୌର ପ୍ରଶାସନ ପକ୍ଷରୁ ହାଟର ବ୍ୟବସ୍ଥା କରାଯାଇଥିଲା ।
ତେବେ ଗତ କିଛି ବର୍ଷ ହେଲା ହାଟର ଅର୍ଦ୍ଧାଧିକ ସ୍ଥାନକୁ ଲୋକେ ମାଡିବସି କିଏ ପକ୍କା ଘର କରିଛି ତ ଆଉ କିଏ ଦୋକାନ କରି ମାଡ଼ିବସିଛନ୍ତି । ଫଳରେ ହାଟ ସ୍ଥାନ କମି ଯିବା ଦ୍ୱାରା ଆଦିବାସୀ ମାନେ ଶେଷରେ ବାଧ୍ୟହୋଇ ରାସ୍ତା ଉପରେ ବସି ବିକ୍ରୀ କରୁଥିଲେ । କୁଇ ସମାଜ ପକ୍ଷରୁ ହାଟ ସ୍ଥାନ ମପାଯାଇ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ଦାବୀ କରି ଆସୁଥିଲେ । ତେବେ ବିଳମ୍ବରେ ହେଲେ ବି ପୌର ପ୍ରଶାସନର ବଳିଷ୍ଠ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ତେବେ ଡ୍ରେନ ଉପରକୁ ଆସି ବ୍ୟବସାୟ କରୁଥିବା ଜବରଦଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାମଧ୍ୟ ଜରୁରୀ ହୋଇପଡ଼ିଛି । ଯେଉଁମାନେ ବହୁଦିନ ଧରି ସେଠାରେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଉକ୍ତ ଜାଗାରେ ପୌର ପରିଷଦ ପକ୍ଷରୁ ନିର୍ମାଣ ହେବାକୁ ଥିବା କଂପ୍ଲେକ୍ସରେ ଜାଗା ଦେବାପାଇଁ ପୌରାଧ୍ୟକ୍ଷା ଏଥିପ୍ରତି ଦୃଷ୍ଟିଦେବାକୁ ଦାବିହେଉଛି ।

hiranchal ad1
Leave A Reply

Your email address will not be published.

five − 2 =