ଧାର୍ଯ୍ୟ ହେଲା ସୋନପୁର ଗଡ଼ଜାତର ନୁଆଁଖାଇ ଲଗ୍ନ

0 195

ସୁବର୍ଣ୍ଣପୁର,୩୧/୮-ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ ନିଜର ଇଷ୍ଟଦେବୀଙ୍କୁ ନେଇ ଅଲଗା ଅଲଗା ଅଂଚଳ ପାଇଁ ଭିନ୍ନ ପ୍ରକାରେ ଲଗ୍ନ ସ୍ଥିର ହୋଇଥାଏ । ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ବସି ଆଗାମୀ ନୂଆଁଖାଇ ପାଇଁ ସୋନପୁର ଗଡଜାତ ଅଂଚଳର ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ସିତାଂଶୁ ଶେଖର ପାଣୀଗ୍ରାହୀ । ରାଜା ରାଜୁଡା ଅମଳରୁ ପାରମ୍ପାରିକ ବିଧି ବିଧାନରେ ନିର୍ଦ୍ଧାରିତ ହୋଇ ଆସୁଛି ଏହି ନୂଆଁଖାଇ ଲଗ୍ନ । ଏଥର ଆସନ୍ତା ୧୧ ତାରିଖ ଶନିବାର ଦିନ ଘ. ୧୦.୧୮ ମି. ରୁ ଘ.୧୦.୩୦ ମି. ମଧ୍ୟେ ତୁଳା ଲଗ୍ନରେ ନବାର୍ଣ୍ଣ ଲାଗି ପାଇଁ ସ୍ଥିର ହୋଇଛି । ସେହିପରି ସକାଳ ୯ ଟା ରୁ ୯ ଟା ୪୫ ମି ମଧ୍ୟେ ମା ସୁରେଶ୍ୱରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ । କାହିଁ କେତେ ଦିନରୁ ପୁରୁଣା ସୋନପୁର ଗଡଜାତ ରାଜ୍ୟର ନୂଆଖାଇ ପାଇଁ ଏହି ଲଗ୍ନ ପରମ୍ପରା ଚାଲିଆସିଛି ଆଜିଯାଏଁ । ପ୍ରତିବର୍ଷ ସୋନପୁରର ଜଗନ୍ନାଥ ମନ୍ଦିର ପରିସରର ମୁକ୍ତି ମଣ୍ଡପରେ ବସି ଲଗ୍ନ ନିର୍ଦ୍ଧାରଣ କରନ୍ତି ପଣ୍ଡିତମାନେ । ସୋନପୁରର ଇଷ୍ଟଦେବୀ ସୁରେଶ୍ୱରୀଙ୍କୁ ନେଇ ଜ୍ୟୋତିଷି ଶାସ୍ତ୍ର ଅନୁସାରେ ଗଣନା କରାଯାଏ ତିଥି ଓ ସମୟ । ପଣ୍ଡିତମାନଙ୍କର ନିର୍ଦ୍ଧାରିତ ସମୟରେ ମାଁ ସୁରେଶ୍ୱରୀ ତଥା ଅଷ୍ଟଚଣ୍ଡିଙ୍କ ପାଖରେ ନୂଆଁ ଲାଗିସାରିବା ପରେ ନିଜ ନିଜ ଘରେ ଥିବା ଦେବତାଙ୍କୁ ପୂଜା କରାଯାଇ ନୂଆଁ ଖିଆ ଯାଇଥାଏ । ଏହି ଲଗ୍ନକୁ ନେଇ ସାରା ସୋନପୁର ଗଡଜାତ ଅଂଚଳରେ ନୂଆଁଖାଇ ହୋଇଥାଏ । ଏପରିକି ସୋନପୁର ସହରରେ ସୁବର୍ଣ୍ଣପୁର ପୌର ପରିଷଦ ତରଫରୁ ସ୍ୱତନ୍ତ୍ର ଭାବେ ଗଳି ଗଳି ଡେଙ୍ଗୁରା ଦେଇ ଘୋଷଣା କରାଯାଏ ଏହି ଲଗ୍ନ । ସୋନପୁର ସହର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ଅଂଚଳକୁ ମଧ୍ୟ ଲଗ୍ନ ଜଣାଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

five × 2 =