ମହିମା ସନ୍ୟାସୀଙ୍କୁ ସାହାଯ୍ୟର ହାତ ବଢାଇଲେ ବିଧାୟକ ସୁଧୀର ସାମଲ

0 156

ଢେଙ୍କାନାଳ: ସାରାବିଶ୍ୱକୁ ମହାମାରୀ କରୋନା କାୟା ବିସ୍ତାର କରିଛି । ଏଥିରୁ ନିସ୍ତାର ପାଇବା ପାଇଁ ଭାରତ ସରକାର ଓ ଓଡିଶା ସରକାର ଲକ୍‌ଡାଉନର ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ଲକଡାଉନ ନିୟମ କଡାକଡି ରହିଥିବାବେଳେ ଏଥିରୁ ବାଦ୍‌ପଡିନି ଢେଙ୍କାନାଳ ଜିଲ୍ଲା । ଢେଙ୍କାନାଳ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀ ଗନ୍ଦିଆବ୍ଲକ ଯୋରନ୍ଦା ପଞ୍ଚାୟତ ଠାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଗୋସେଇଙ୍କ ବିଜେସ୍ଥଳରେ ଥିବା ଶତାଧିକ ମହିମା ସାଧୁସନ୍ଥ ଲକଡାଉନ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିକ୍ଷାବୃତ୍ଥି କରି ଚଳୁଥିବା ବା କୌଣସି ଭକ୍ତ ଯୋରନ୍ଦା ଆସିଲେ ସେମାନଙ୍କୁ ଦେଉଥିବା ଦାନରେ ଚଳିଯାଉଥିଲେ ଏହି ସାଧୁସନ୍ଥମାନେ । କିନ୍ତୁ ଲକଡାଉନରେ କୌଣସି ଭକ୍ତ ଆସୁନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କର ଏପରି ଅବସ୍ଥା କଥା ଶୁଣି ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ତୁରନ୍ତ ଆଜି ପୀଠରେ ପହଞ୍ଚି ସାଧୁସନ୍ଥମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କୁ ଚାଉଳ, ଡାଲି, ପନିପରିବା, ତେଳ, ମାସ୍କ ଓ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଏହି ସାଧୁସନ୍ଥମାନଙ୍‌କୁ ରାଶନକାର୍ଡ ପ୍ରଦାନ ପାଇଁ ଶ୍ରୀ ସାମଲ ପ୍ରଶାସନକୁ କହିଥଇଲେ । ମହାମାରୀ କରୋନା ପାଇଁ ରାଜ୍ୟସରକାର ଗରିବ ଜନସାଧାରଣଙ୍କୁ ଯୋଗାଇ ଦେଉଥିବା ସାହାଯ୍ୟ କିପରି ମହିମା ସାଧୁସନ୍ଥମାନେ ପାଇବେ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରି ତାହା ପ୍ରଦାନ କରାଯିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ଭାରତ ଓ ସାରାବିଶ୍ୱରୁ ମହାମାରୀ କରୋନା ଲୋପପାଇଁ ସମସ୍ତ ଜନସାଧାରଣ ସୁସ୍ଥରେ ଓ ଆନନ୍ଦରେ ରହିବାପାଇଁ ବିଧାୟକ ମନ୍ଦିର ବାହାରେ ଦୀପ ଜାଳିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି କୃଷକମୋର୍ଚ୍ଚା ସଭାପତି ନରୋତ୍ତମ ସାହୁ, ବିଧାୟକ ପ୍ରତିନିଧି ଦେବାଶିଷ ମିଶ୍ର, ଯୋରନ୍ଦା ସରପଞ୍ଚ ପ୍ରଶାନ୍ତ ରାଉତ, ନିରାକାର ରାଉତ, ସାଧୁ ନିତ୍ୟାନନ୍ଦ ବାବା, ଅବିନାଶ ବାବା, ଭଣ୍ଡାର ରକ୍ଷକ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine − 8 =