ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ ନିମନ୍ତେ ଜିଲ୍ଳା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

0 58

ସୁବର୍ଣ୍ଣପୁର: ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ-୨୦୨୩ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଳା ପରିକ୍ରମା କରୁଥିବା ୨୦୨୩ ହକି ବିଶ୍ୱକପ ଟ୍ରଫି ଜାନୁଆରୀ ୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଳାକୁ ପହଞ୍ଚିବ । ରାଜ୍ୟର ଗର୍ବ ଗୌରବକୁ ବହନ କରୁଥିବା ହକି ବିଶ୍ୱକପ ଟ୍ରଫିକୁ ଯେପରି ଉଚ୍ଛ୍ୱସିତ ସ୍ୱାଗତ କରି ଜିଲ୍ଲାରେ ହକିଖେଳର ପରିପୃଷ୍ଟତାକୁ ଜୀବନ୍ତ ତଥା ଜନାଦୃତ କରିପାରିବା ସେଥି ନିମନ୍ତେ ସମସ୍ତ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ବର୍ଗ ଆନ୍ତରିକ ଭାବେ ନିଜକୁ ଏହି ମହାକୁମ୍ଭରେ ସାମିଲ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ ତାଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଏହି ହକି ବିଶ୍ୱକପ ଟ୍ରଫି ରଥ ବୌଦ୍ଧ ଜିଲ୍ଳାରୁ ଆସି ସୁବର୍ଣ୍ଣପୁର ସହର ଉପକଣ୍ଠ ତେଲ ନଦୀ ପୋଲ ଠାରେ ପହଞ୍ଚିବ, ସେହିଠାରେ ପ୍ରଶାସନ ଓ ଜନସାଧାରଣ ଙ୍କ ଦ୍ୱାରା ଭବ୍ୟସ୍ୱାଗତ କରାଯାଇ ସୋନପୁର ସହର କୁଞ୍ଜ ଛକ-ନଳିନୀ ଛକ-ବିଜୁ ପଟ୍ଟନାୟକ ଛକ – କଚେରୀ ଛକ- ଆମ୍ବେଦକର ଛକ -ବ୍ଲକ ଛକ ଓ ବୁଢାରଜା ଛକ ଦେଇ ମହାନଦୀ ବ୍ରିଜ ଅତିକ୍ରମ କରିବ । ଟ୍ରଫି ରଥକୁ ବିଶେଷ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟେକ ଛକରେ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯିବ, କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ସମସ୍ତ ଜନସାଧାରଣ ନିଜ ନିଜର ପରିବାର ସଦସ୍ୟଙ୍କ ସହ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର । ଏହି ହକି ବିଶ୍ୱକପ ଟ୍ରଫି ଜାନୁଆରୀ ୩ ତାରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଜିଲ୍ଳା ସୀମାନ୍ତ ତେଲ ନଦୀ ବ୍ରିଜ ପାଖରେ ପହଂଚିବାର ସୂଚନା ଦିଆଯାଇଛି । ଉକ୍ତ ଦିନ ସମସ୍ତ ଜନ ସାଧାରଣ ସହ ସହର ସ୍ଥିତ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରଶାସନିକ କାର୍ଯ୍ୟକର୍ତ୍ତା ପ୍ରମୁଖ ସ୍ଥାନୀୟ ହସ୍ତ ତନ୍ତ ବସ୍ତ୍ର ପରିଧାନ କରି ଏହି ସ୍ୱାଗତ ଉତ୍ସବକୁ ଆହୁରି ରଙ୍ଗାୟିତ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇ ଥିବା ସୂଚନା ପ୍ରଦାନ କରାଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

five × two =