କେନ୍ଦ୍ର କ୍ୟାବିନେଟ ବୈଠକ :
ରାଜ୍ୟମାନଙ୍କୁ ରିହାତିରେ ଡାଲି ଯୋଗାଇବେ ସରକାର

0 48

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣାଡାଲି ରାଜ୍ୟମାନଙ୍କୁ ଯୋଗାଇ ଦେବେ । ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ । ଅନ୍ୟପଟେ ବିରି, ହରଡ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଚଣା ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପ୍ରସ୍ତାବ ଦିଆଯାଇଛି । ପ୍ରଥମେ ଅନୁରୋଧ ଆସିଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିପାରିବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ସେମାନଙ୍କର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ/ଯୋଜନା ଯଥା ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ (ଆଇସିଡିପି) ଆଦିରେ ଏହିସବୁ ଡାଲିକୁ ନିଜ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଉପଯୋଗ କରିବେ । ୧୨ ମାସର ଏକକାଳୀନ ବିତରଣ ଅବଧି କିମ୍ବା ୧୫ ଲକ୍ଷ ମେଟ୍ରିକ ଟନ୍‌ ଚଣା ଷ୍ଟକ୍‌ ସରିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହେବ ସେହି ସୀମା ଅନୁଯାୟୀ ଏହି ସୁବିଧା ଉପଲବ୍ଧ ରହିବ । ଭାରତ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ପିଡିଏସ,ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଏହି ଚଣାକୁ ଉପଯୋଗ କରିବା ଲାଗି ସକ୍ଷମ ହେବେ । ମହଜୁଦ ଡାଲି ଉପଯୋଗ ହେବା ପରେ ପଣ୍ୟାଗାରଗୁଡିକରେ ସ୍ଥାନ ଖାଲି ହୋଇପାରିବ ଯାହାକି ଆସନ୍ତା ରବି ଋତୁ ସମୟରେ ମୂଲ୍ୟ ସମର୍ଥନ ଯୋଜନାରେ କିଣାଯାଇଥିବା ଡାଲି ଜାତୀୟ ଫସଲ ମହଜୁଦ କରି ରଖିବାରେ ସହାୟକ ହେବ । ଏହାଦ୍ୱାରା ଚାଷୀମାନେ ସେମାନଙ୍କ ଡାଲିର ଉଚିତ୍‌ ମୂଲ୍ୟ ପାଇପାରିବେ ଏବଂ ଅଧିକ ଡାଲିଜାତୀୟ ଫସଲ ଚାଷରେ ନିବେଶ କରିବା ପାଇଁ ସେମାନେ ଅନୁପ୍ରାଣିତ ହେବେ ।

hiranchal ad1
Leave A Reply

Your email address will not be published.

2 × 1 =