ସଂସଦରେ ତୱାଙ୍ଗ ତାତି :
କକ୍ଷତ୍ୟାଗ କଲେ ବିରୋଧୀ

0 22

ନୂଆଦିଲ୍ଲୀ: ସଂସଦରେ ଆଜି ଅନୁଭୁତ ହୋଇଛି ତୱାଙ୍ଗ ତାତି । ଅରୁଣାଚଳରେ ଭାରତ-ଚୀନା ସେନା ସଂଘର୍ଷକୁ ନେଇ ରାଜ୍ୟସଭାରେ ଆଜି ପ୍ରବଳ ହଙ୍ଗାମା ହୋଇଥିଲା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ;କିନ୍ତୁ ଗୃହ ଅଧ୍ୟକ୍ଷ ସୁଯୋଗ ନଦେବାରୁ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ବିରୋଧୀ । ସୀମା ସଂଘର୍ଷ ଉପରେ ଗୃହ ଅଧ୍ୟକ୍ଷ ଆଲୋଚନା ନକରିବାରୁ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳମାନେ କକ୍ଷତ୍ୟାଗ କରିଥିଲେ । ଡିସେମ୍ବର ୯ତାରିଖରେ ଆରୁଣାଚଳର ତୱାଙ୍ଗ ସେକ୍ଟରରେ ପିଏଲଏ ଭାରତୀୟ ପୋଷ୍ଟ କବଜା କରିବାକୁ ଉଦ୍ୟମ କରିଥିଲେ । ଚୀନ୍‌ ସେନାର ଏହି ଉଦ୍ୟମକୁ ପଣ୍ଡ କରିଥିଲେ ଭାରତୀୟ ଯବାନ । ଏହାକୁ ନେଇ ସଂସଦର ଶୀତ ଅଧିବେଶନରେ ତାତି ବଢୁଛି । ପ୍ରଥମେ ଲୋକସଭାରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହେବା ପରେ ସୋମବାର ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିପକ୍ଷ ଦଳ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ତୱାଙ୍ଗ ସଂଘର୍ଷକୁ ଉପରେ ଗୃହ ଆଲୋଚନା କରିବା ନେଇ ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହା ଉପରେ ଆଲୋଚନା ହେଉନଥିବାରୁ ଗୃହତ୍ୟାଗ କରିଥିଲେ ବିରୋଧୀ । ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାଅର୍ଜୁନ ଖଡଗେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ୍‌ ଧନକଡଙ୍କୁ ବିରୋଧ କରିବା ସହିତ ଗୃହର ବିଶେଷ ଅଧିକାର ପ୍ରୟୋଗ କରି ତୱାଙ୍ଗ ମାମଲା ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ବିରୋଧୀ ନେତାଙ୍କୁ ଟାର୍ଗେଟ୍‌ କରିଥିଲେ । ୟୁପିଏ ସରକାର ସମୟରେ କଂଗ୍ରେସ ଏଭଳି ମୁଦ୍ଦା ଉପରେ କେତେ ଆଲୋଚନା କରିଛି ବୋଲି ପାଲଟା ପ୍ରଶ୍ନ କରିଥିଲେ । ମଲ୍ଲିକା ଅର୍ଜୁନ ଖଡଗେ ନିଜ ପଦର ମର୍ଯ୍ୟାଦା ହାନି କରୁଛନ୍ତି ବୋଲି କହିଥିଲେ ପୀୟୁଷ ଗୋଏଲ । ସେପଟେ ଏହାର ଜବାବ ରଖିଥିଲେ ରାଜ୍ୟସଭା ବିରୋଧୀ ଦଳ ନେତା । ରାଜ୍ୟସଭାରେ ବିରୋଧୀଙ୍କୁ ଧ୍ୟାନ ଦିଆଯିବା ଦରକାର । ସମ୍ବିଧାନରେ ବିଶେଷ ଅଧିକାରର ବ୍ୟବସ୍ଥା ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ବିଶେଷ ଅଧିକାରକୁ ପ୍ରୟୋଗ କରି ପାରିବୁ ବୋଲି ଖଡଗେ କହିଥିଲେ । ଚୀନ୍‌ ବାରମ୍ବାର ଏଲଏସି ଅତିକ୍ରମ କରିବାକୁ ଚେଷ୍ଟା କରୁଛି । ସରକାର ଏହାକୁ ଗମ୍ଭୀରତାର ସହ ନେଇ ଆକ୍ଟ-୨୬୬ ଓ ଆକ୍ଟ-୨୬୭କୁ ପ୍ରୟୋଗ କରି ଚର୍ଚ୍ଚା କରିବାକୁ କହିଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =