ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ :
ସବୁ ମହିଳାଙ୍କର ଅଛି ଗର୍ଭପାତର ଅଧିକାର

0 44

ନୂଆଦିଲ୍ଲୀ: ମହିଳା ଅଧିକାରକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଭାରତରେ ବସବାସ କରୁଥିବା ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇନଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି । ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ଅଦାଲତ କହିଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍ସି(ଏମଟିପି) ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟଙ୍କର ଏହି ରାୟ ମହିଳାମାନଙ୍କୁ ଅନେକ ମାତ୍ରାରେ ଉପକୃତ କରାଇବ । କୋର୍ଟ କହିଛନ୍ତି,ଏମଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ । ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁଷ୍କର୍ମ ମଧ୍ୟରେ ଗଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି । ଏହାର ଅର୍ଥ,ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ । “ସିଙ୍ଗିଲ ବା ଅବିବାହିତ ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ବାରଣ କରିବା ଓ ବିବାହିତ ମହିଳାଙ୍କୁ ଏଥିପାଇଁ ଅନୁମତି ଦେବା ଧାରା ୧୪ ବା ମୌଳିକ ଅଧିକାରର ମୂଳ ଭାବନାକୁ କ୍ଷତି ପହଞ୍ଚାଇବା ସହ ସମାନ । ଗର୍ଭପାତ ପାଇଁ ମହିଳାଙ୍କ ବୈବାହିକ ସ୍ଥିତିକୁ ବିଚାର କରାଯିବ ନାହିଁ । ଇଛା ନଥିବା ଗର୍ଭକୁ ଜଣେ ଅବିବାହିତ ମହିଳା ମଧ୍ୟ ଚାହିଁଲେ ନଷ୍ଟ କରିପାରିବେ । ଏକକ ଓ ଅବିବାହିତ ମହିଳାମାନେ ଏମଟିପି ଆଇନ ଓ ନିୟମ ଅନୁସାରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ । ବାହାଘର ଜଣେ ବ୍ୟକ୍ତିଙ୍କର ଅଧିକାର ପାଇଁ ଏକ ପ୍ରାକ୍‌ ସର୍ତ୍ତ ବୋଲି ପୂର୍ବରୁ ଥିବା ବିଚାରବୋଧକୁ ଆଧୁନିକ ଆଇନ ବଦଳାଇ ସାରିଛି । ଏମଟିପି ଆଇନ ଆଜିର ବାସ୍ତବତାକୁ ବୁଝିବା ଦରକାର ଓ ପୁରୁଣା ନିୟମରେ ଏହା ବାନ୍ଧି ହୋଇ ରହିବା ଅନୁଚିତ । ଆଇନ କେବେହେଲେ ସ୍ଥିର ହୋଇ ରହିବା କଥା ନୁହେଁ ଓ ସାମାଜିକ ବାସ୍ତବତାକୁ ନଜରେ ରଖି ଏହା ପରିବର୍ତ୍ତନଶୀଳ ହେବା ଉଚିତ । ଅସୁରକ୍ଷିତ ଗର୍ଭପାତ ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି, “ଅସୁରକ୍ଷିତ ଗର୍ଭପାତ ଏବେ ବି ମାତୃ ମୃତ୍ୟୁହାରର ତୃତୀୟ ସର୍ବାଧିକ କାରଣ ସାଜିଛି । ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ ଉପାୟରେ କରାଯାଉଛି । ସୁରକ୍ଷିତ ଗର୍ଭପାତ ସେବା ଯୋଗାଇଦେବାକୁ ମନା କରିବା ଓ କଟକଣାଯୁକ୍ତ ଗର୍ଭପାତ କରିବା ଅସୁରକ୍ଷିତ ଗର୍ଭପାତ ବଢିବାର ମୁଖ୍ୟ କାରଣ । ବିବାହିତ ମହିଳାମାନେ ମଧ୍ୟ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ ବର୍ଗର ପୀଡିତାଙ୍କ ଅଂଶବିଶେଷ । ଇଛା ନଥାଇ ମଧ୍ୟ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଉଛନ୍ତି । ତେଣୁ ଯଦି ଜଣେ ବିବାହିତ ମହିଳା କିମ୍ବା ଅବିବାହିତ ମହିଳା ଗର୍ଭପାତ କରିବାକୁ ଚାହୁଁଛନ୍ତି, ତା’ହେଲେ ବିନା ଦୁଷ୍କର୍ମ ମାମଲା ରୁଜୁ କରି ଏହା କରାଯାଇ ପାରିବ । ଯଦି ଜଣେ ମହିଳା ନିଜର ସ୍ୱାମୀ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଦାବି କରୁଛନ୍ତି, ତା’ହେଲେ ବିନା ଏଫଆଇଆରରେ ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି । ସେହିପରି,ପୋକ୍‌ସୋ ଆକ୍ଟ ଅଧୀନରେ ଯଦି ଜଣେ ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଛନ୍ତି, ତା’ହେଲେ ପଞ୍ଜୀକୃତ ମେଡିକାଲ କର୍ମଚାରୀ ତାଙ୍କ ପରିଚୟ ସାର୍ବଜନୀନ କରିବାର ଆବଶ୍ୟକତା ନାହିଁ । ଏହାଦ୍ୱାରା ବାଳିକାଟି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିବ । ଏ ସମସ୍ତ ବିଷୟ ଅତି ସମ୍ବେଦନଶୀଳ ବିଷୟ । ବିବହେିତା ଓ ଅବିବାହିତା ମହିଳାମାନଙ୍କର ଏହି ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ,ତାହା ସରକାର ଦେଖିବା ଦରକାର ।

hiranchal ad1
Leave A Reply

Your email address will not be published.

fifteen − nine =