ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ

0 34

ଷ୍ଟକ୍‌ହୋମ୍‌: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର୍‌ ହୋଇ ଏଯାବତ୍‌ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଏସ୍‌ଆଇପିଆର୍‌ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ କରୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଓ ଭାରତ ୩ଟି ଶ୍ରେଷ୍ଠ ରାଷ୍ଟ୍ର ବୋଲି ମଧ୍ୟ ‘ଏସ୍‌ଆଇପିଆର୍‌ଆଇ’ କହିଛି । ‘ଏସ୍‌ଆଇପିଆର୍‌ଆଇ’ କହିଛି, ୨୦୨୧ରେ ସମୁଦାୟ ବୈଶ୍ୱିକ ସାମରିକ ବ୍ୟୟ ୦.୭% ବୃଦ୍ଧି ପାଇ ୨୧୧୩ ଡଲାର୍‌ରେ ପହଞ୍ଚିଛି । ସାମରିକ କ୍ଷେତ୍ରରେ ୨୦୨୧ରେ ସବୁଠୁ ଅଧିକ ବ୍ୟୟ କରିଥିବା ରାଷ୍ଟ୍ରଗୁଡିକ ମଧ୍ୟରୁ ୫ଟି ରାଷ୍ଟ୍ର ହେଉଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌,ଭାରତ,ଇଂଲଣ୍ଡ୍‌ ଏବଂ ରୁଷ୍‌ । ଏହି ୫ଟି ରାଷ୍ଟ୍ରର ବ୍ୟୟ ବିଶ୍ୱ ସାମରିକ କ୍ଷେତ୍ରର ସମୁଦାୟ ବ୍ୟୟର ୬୨% । ସାମରିକ କ୍ଷେତ୍ରରେ ୭୬.୬ ବିଲିୟନ୍‌ ଡଲାର୍‌ ବ୍ୟୟ କରି ଭାରତ ବିଶ୍ୱରେ ୩ ନମ୍ବର ରାଷ୍ଟ୍ରରେ ପରିଗଣିତ ହୋଇଛି । ୨୦୨୦ଠାରୁ ଏହି ବ୍ୟୟ ୦.୯% ଏବଂ ୨୦୧୨ଠାରୁ ୩୩% ଅଧିକ । ସ୍ୱଦେଶୀ ଅସ୍ତ୍ର ଶିଳ୍ପର ସୁଦୃଢିକରଣ ନିମନ୍ତେ ପ୍ରୋତ୍ସାହନ ଦେବାକୁ ଯାଇ ୨୦୨୧ରେ ସାମରିକ ବ୍ୟୟ ବଜେଟ୍‌ରେ ଥିବା ପାଣ୍ଠିର ୬୪% ଅର୍ଥରେ ସ୍ୱଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ଖରିଦ କରିବା ଲାଗି ବ୍ୟବସ୍ଥା ହୋଇଥିଲା । ‘ଏସ୍‌ଆଇପିଆର୍‌ଆଇ’ର ‘ସାମରିକ ବ୍ୟୟ ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାର୍ଯ୍ୟକ୍ରମ’ର ବରିଷ୍ଠ ଗବେଷକ ଡକ୍ଟର୍‌ ଡିଏଗୋ ଲୋପ୍‌ସ୍‌ ଦା ସିଲ୍‌ଭା କହିଛନ୍ତି, କୋଭିଡ୍‌ ମହାମାରୀଜନିତ ଆର୍ଥିକ ଅବନତି ସତ୍ତେ୍ୱ ବିଶ୍ୱ ସାମରିକ ବ୍ୟୟ ରେକର୍ଡ ସ୍ତରରେ ପହଞ୍ଚିଛି । ମୁଦ୍ରାସ୍ଫୀତି ଯୋଗୁଁ ବାସ୍ତବ ଅଭିବୃଦ୍ଧିରେ ମାନ୍ଦା ଦେଖାଦେଇଥିଲା । କିନ୍ତୁ, ସାଧାରଣ ସ୍ତରରେ ସାମରିକ ବ୍ୟୟ ୬.୧% ବୃଦ୍ଧି ପାଇଛି ।

hiranchal ad1
Leave A Reply

Your email address will not be published.

eighteen − 1 =