ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସୁଛି । ଚାଲିଛି ଭୋଟ ଗଣନା । ସବୁଠୁ ଚର୍ଚ୍ଚିତ ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ପଶ୍ଚିମବଙ୍ଗ ଦଖଲ କରିବାର ବହୁ ସମ୍ଭାବନା ରହିଛି । ଅନ୍ୟପଟେ ଶାସକ ଟିଏମସି ଗାଦିଚ୍ୟୁତ ହେବାର ଆଶଙ୍କା ଦେଖାଦେଇଛି । ଭୋଟ ଗଣତି ବହୁତ ଲମ୍ବା ଥିବାରୁ ଫଳାଫଳ ଭିନ୍ନ ମଧ୍ୟ ହୋଇପାରେ । ବେଙ୍ଗଲର ୨୯୩ଟି ବିଧାନସଭା ଆସନରୁ ବିଜେପି ୧୬୭, ଟିଏମସି ୧୧୫, କଂଗ୍ରେସ ଶୂନ, ବାମଦଳ ଓ ଅନ୍ୟାନ୍ୟ ଦଳ ଗୋଟିଏ ଲେଖାଏ ଆସନରେ ଲିଡ କରୁଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୭।ସେହିପରି ଅନ୍ୟ ତିନି ରାଜ୍ୟରେ ପ୍ରାରମ୍ଭିକ ଭୋଟ ଫଳାଫଳ ମଧ୍ୟ ଦେଶବାସୀଙ୍କୁ ଚକିତ କରିଛି । ତାମିଲନାଡୁରେ ଶାସକ ଡିଏମକେ ବହୁ ପଛରେ ପଡିଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡୁର ଅନ୍ୟତମ ସୁପରଷ୍ଟାର ସି ଯୋଶେଫ ବିଜୟ ଇତିହାସ ରଚିବାକୁ ଯାଉଛନ୍ତି । ତାଙ୍କ ଦଳ ସରକାର ଗଠନ ଠାରୁ ଆଉ ଅଳ୍ପ ସିଟରେ ଦୂରରେ ଥିବା ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି । ସେହିପରି କଂଗ୍ରେସ ପାଇଁ କେରଲମ୍ ସଂଜୀବନୀ ସଦୃଶ ହୋଇଛି । ଏହି ଦଳ ନେତୃତ୍ବାଧୀନ ମେଣ୍ଟ ମଧ୍ୟ ସରକାରକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ବାମଦଳ କ୍ଷମତାଚ୍ୟୁତ ହେବ । ସେହିପରି ଆସାମରେ ବିଜେପି ଏକପାଖିଆ ବିଜୟ ଦିଗରେ ଗତି କରୁଛି । ସେହିପରି ପୁଦୁଚେରୀରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ଏବେ ସୁଦ୍ଧା ମିଳିପାରି ନାହିଁ । ଏଆଇଏନଆରସି ୯ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୨ଟି ଆସନରେ ଆଗୁଆ ରହିଛି । ଏଠାରେ ଯେଉଁଦଳ ୧୬ଆସନ ଦଖଲ କରିବ ସେହି ଦଳ ସରକାର ଗଠନ କରିବ ।
