ଗୋଟିଏ ଦିନରେ ରେକର୍ଡ଼ ପଜିଟିଭ୍‌

0 272

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ସଂକ୍ରମଣ ପ୍ରତିହତ ହେବା ବଦଳରେ ରେକର୍ଡ଼ ସୃଷ୍ଟି କରୁଛି । କେବଳ ଗୋଟିଏ ଦିନରେ ଦେଶରେ ରେକର୍ଡ଼ ୧୯୯୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ପଜିଟିଭ୍ କେବେବି ଆସିନଥିଲା । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୪୯୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୪ରେ ପହଞ୍ଚିଛି । ସେହିପରି, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯ ହଜାର ୮୬୮ ଥିବା ବେଳେ ୫ ହଜାର ୮୦୩ ଜଣ ସୁସ୍ଥ ହୋଇ ଫେରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଆଜି ଦିଆଯାଇଛି । ଆଗାମୀ ଦିନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ମନ୍ତ୍ରାଳୟ କହିଛନ୍ତି । ଏ ଦୃଷ୍ଟିରୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରୀକ୍ଷଣକୁ ତ୍ୱରାନ୍ୱିତ କରାଯାଉଛି । ମହାରାଷ୍ଟ୍ର ପୂର୍ବପରି ଆକ୍ରାନ୍ତ ତାଲିକାରେ ଶୀର୍ଷରେ ରହିଛି । ଏହି ରାଜ୍ୟରେ ମୃତ୍ୟୁଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିସାରିଲାଣି । ଏହି ରାଜ୍ୟରେ ମୃତ୍ୟୁସଂଖ୍ୟା ୩୨୩ରେ ଛୁଇଁଛି । କେବଳ ମୁମ୍ବାଇରେ ୪ ହଜାର ୫ଶହ ରୋଗୀ ଚିହ୍ନଟ ହେଲେଣି । ମୁମ୍ବାଇରେ କରୋନାରେ ୧୭୮ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଏବେ ଘରକୁ ଯିବା ପାଇଁ ରାସ୍ତାରେ ତଥା ସୀମାନ୍ତରେ ଭିଡ଼ ଜମାଇଛନ୍ତି । ଯାହାଫଳରେ ସଂକ୍ରମଣ ସ୍ଥିତି ଗୁରୁତର ହୋଇପଡ଼ିଛି । ତା\’ତଳକୁ ଗୁଜୁରାଟରେ ଅବସ୍ଥା ମଧ୍ୟ ଗମ୍ଭୀର ରହିଛି । ରାଜଧାନୀ ନୂଆଦିଲ୍ଲୀରେ ସ୍ଥିତି ଗୁରୁତର ହୋଇପଡ଼ିଛି । ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ୨୬୨୫ରେ ପହଞ୍ଚିଛି । ସବୁଠୁ ଚିନ୍ତାର ବିଷୟ ହେଉଛି ଯେ, ରୋଗୀମାନଙ୍କର ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସମାନେ ସଂକ୍ରମିତ ହେଉଛନ୍ତି । ଏମାନଙ୍କ ସଂଖ୍ୟା ବଢ଼ୁଛି । ଏହି କାରଣରୁ କେତେକ ଡାକ୍ତରଖାନାକୁ ବନ୍ଦ କରିଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ହିନ୍ଦୁ ରାଓ ହସ୍ପିଟାଲ ଅନ୍ତର୍ଭୁକ୍ତ । ଏହି ହସ୍ପିଟାଲର ସଂପୂର୍ଣ୍ଣ ସାନିଟାଇଜେସନ ହେବା ପରେ ଏହାକୁ ଖୋଲାଯିବ । ସେହିପରି, ଦିଲ୍ଲୀସ୍ଥିତ ଏମ୍ସ କର୍କଟ ବିଭାଗର ଜଣେ ନର୍ସ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।
ସେହିପରି, ସାରା ବିଶ୍ୱରେ କରୋନା ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡ଼ିଛି । ମୃତ୍ୟୁସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । କେବଳ ଆମେରିକାରେ ୫୩ ହଜାର ୫୧୧ ଜଣଙ୍କର ମୃତ୍ୟୁ ଘଟିଛି । ସାରା ବିଶ୍ୱରେ ୨୯ ଲକ୍ଷ ୨୦ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି । ୮ ଲକ୍ଷ ୩୬ ହଜାର ୯୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୁରୁତରଙ୍କ ସଂଖ୍ୟା ୫୭ ହଜାର ୮୬୪ ରହିଛି ।

hiranchal ad1
Leave A Reply

Your email address will not be published.

one × 2 =