ବିବାହ ଅଟକାଇ କ୍ଷମା ମାଗିଲେ ଜିଲ୍ଲାପାଳ

0 486

ଅଗରତାଲା: ତ୍ରିପୁରାର ମାଣିକିଆ ଅଂଚଳରେ ଏପରି ଏକ ଘଟଣା ଘଟିଛି ଯାହା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅଂଚଳର ଏକ ବିବାହ ଉତ୍ସବକୁ ବନ୍ଦ କରିବା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଗିରଫ କରିବା ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଶୈଳେଶ କୁମାର ଯାଦବ ଘଟଣା ସ୍ଥଳରେ ପହଞ୍ଚି ବିବାହକୁ ଅଟକାଇଥିଲେ ଏବଂ ବରକନ୍ୟା ଓ ଅନ୍ୟ ଉପସ୍ଥିତି ବ୍ୟକ୍ତିମାନଙ୍କୁ ଗାଳିଗୁଳଜ କରିବା ସହ ଗିରଫ ମଧ୍ୟ କରିଥିଲେ । ବର କନ୍ୟା ପକ୍ଷ ଅନୁମତି ପତ୍ର ଦେଖାଇଥିଲେ ମଧ୍ୟ ତାହାକୁ ସେ ଅଣଦେଖା କରି ଚିରି ଦେଇଥିଲେ । ଯାହା ଫଳରେ ବିବାହ ଉତ୍ସବ ବ୍ୟାହତ ହୋଇଥିଲା । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଜିଲ୍ଲାପାଳ ହିଁ ଏହି ବିବାହ ପାଇଁ ଅନୁମତି ପ୍ରଦାନ କରିଥିଲେ । ଅନୁମତି ପତ୍ରର ତଳେ ତାଙ୍କର ସ୍ୱାକ୍ଷର ମଧ୍ୟ ରହିଛି । ତେବେ କାହା କଥା କିଛି ନ ଶୁଣି କ୍ରୋଧାନ୍ଧ ହୋଇ ବିବାହ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ମଣ୍ଡପ ମାଲିକଙ୍କୁ ମଧ୍ୟ ଗିରଫ କରିଥିଲେ । ସେହିଦିନ ରାତିରୁ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହୋଇଥିବାରୁ ଜିଲ୍ଲାପାଳ ଏପରି କାଣ୍ଡ ଘଟାଇଥିଲେ । ତେବେ ନାଇଟ୍ କର୍ଫ୍ୟୁର ମଧ୍ୟ ଅନୁମତି ସହ ମାଙ୍ଗଲିକ କାର୍ଯ୍ୟକ୍ରମ ଲାଗି ଅନୁମତି ଦିଆଯାଇଛି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ନିଜ ଭୁଲ ବୁଝିପାରି ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ବିରୋଧୀ ଦଳ ଏହାକୁ ଏକ ଇସୁ କରିଛନ୍ତି । ବିରୋଧୀ ଦଳ ନେତା ମାନିକ ସରକାର କହିଛନ୍ତି ଯେ, ଏହା ଏକ ଅତ୍ୟନ୍ତ ଅବାଞ୍ଛିତ କାର୍ଯ୍ୟ । ନିଜେ ଜିଲ୍ଲାପାଳ ଅନୁମତି ଦେଇଥିବା ବେଳେ ଏପରି କାର୍ଯ୍ୟ କିପରି କଲେ ତାହା ଆଶ୍ଚର୍ଯ୍ୟର ବିଷୟ । ତାଙ୍କର ଏଭଳି ବ୍ୟବହାର ଓ ଆଚରଣ ପାଇଁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

hiranchal ad1
Leave A Reply

Your email address will not be published.

5 − three =