ସୁଧୁରୁନି କରୋନା ସ୍ଥିତି

0 71

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ପୂର୍ବଭଳି ଗମ୍ଭୀର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୭୩ଟି ନୂଆ ମାମଲା ଆସିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ୨୧,୩୯୩ରେ ପହଞ୍ଚିଛି । ସେହିପରି, ଗୋଟିଏ ଦିନରେ ଆଉ ୩୯ଜଣଙ୍କର ମୃତ୍ୟୁ ଘଟିବା ପରେ କରୋନା ମୃତ୍ୟୁସଂଖ୍ୟା ୬୮୧କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୪,୨୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଏହି ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ପରିସ୍ଥିତି ସବୁଠୁ ସାଙ୍ଘାତିକ । କରୋନା ମୃତ୍ୟୁ ଓ ସଂକ୍ରମଣରେ ଏହି ରାଜ୍ୟ ଶୀର୍ଷରେ ରହିଛି । ରାଜ୍ୟରେ ଲୋକମାନେ ଆଦୌ ନିୟମକୁ ମାନୁ ନାହାନ୍ତି । ଶହଶହ ସଂଖ୍ୟାରେ ଲୋକମାନେ ବାହାଂରକୁ ଆସିବା ଫଳରେ ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡିଛି । ସେହିପରି, ଗୁଜୁରାଟର ସ୍ଥିତି ମଧ୍ୟ ଗମ୍ଭୀର । ଗତକାଲିର କରୋନା ତାଲିକାରେ ଏହା ୬ ନମ୍ବର ସ୍ଥାନରେ ଥିଲା ବେଳେ ଆଜି ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି । ଦେଶର ମୋଟ ନୂଆ ସଂକ୍ରମିତଙ୍କ ସଂଖ୍ୟାର ଶତକଡ଼ା ୫୨ ଭାଗ ରୋଗୀ କେବଳ ମହାରାଷ୍ଟ୍ର ଓ ଗୁଜରାଟରେ ଠାବ ହୋଇଛନ୍ତି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିବା ୩୯ଜଣଙ୍କ ମଧ୍ୟରୁ ୧୮ଜଣ ମହାରାଷ୍ଟ୍ରର ଓ ୧୩ ଜଣ ଗୁଜୁରାଟର । ଗୁଜୁରାଟରେ ଗୋଟିଏ ଦିନରେ ଆଉ ୨୨୯ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି, ମହାରାଷ୍ଟ୍ରରେ ୪୩୧ଟି ନୂଆ କରୋନା ରୋଗୀ ଠାବ ହୋଇଛନ୍ତି । ମହାରାଷ୍ଟ୍ରରେ ଆକ୍ରାନ୍ତ ହୋଇଥିବା ମୋଟ ୬,୭୧୦ଜଣଙ୍କ ମଧ୍ୟରୁ ୭୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୃତ୍ୟୁ ସଂଖ୍ୟା ୨୬୯ରେ ପହଞ୍ଚିଲାଣି । ଆଜି ମୁମ୍ବାଇରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ସ୍ଥାନରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ । ସେମାନଙ୍କୁ ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ମାଇକ୍ ଯୋଗେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ କହିଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ । ଓଲଟି ପୁଲିସ୍ ଉପରକୁ ସେମାନେ ଟେକାପଥର ଫୋପାଡ଼ିଥିଲେ । ଫଳରେ ପୁଲିସ୍‌କୁ ଲାଠି ଚାଳନା କରିବାକୁ ପଡିଥିଲା । ଏହାକୁ ନେଇ ମୁମ୍ବାଇରେ ପରିସ୍ଥିତି ଅତି ଉଦ୍‌ବେଗଜନକ ହୋଇପଡ଼ିଛି । ଶ୍ରମିକ ଏବଂ ଅନ୍ୟାନ୍ୟ ଶ୍ରେଣୀର ଲୋକମାନେ ନିଜ ଗାଁକୁ ଫେରିଯିବା ପାଇଁ ରାସ୍ତାକୁ ପଳାଇ ଆସୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି । ସେମାନଙ୍କ ଲାଗି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରିବାକୁ ମହାରାଷ୍ଟ୍ର ସରକାର ଆଜି କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − eight =