ଟନେଲରୁ ବାହାରିବାପରେ ୧୭ ଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ

0 68

୧୭ ଦିନର ଅହୋରାତ୍ର ସଂଗ୍ରାମ ପରେ ଶେଷରେ ଅସମ୍ଭବ ସମ୍ଭବରେ ପରିଣତ ହୋଇଛି । ଟନେଲର ଅନ୍ଧକାରରୁ ବାହାରି ଆଲୋକ ଦେଖିଛନ୍ତି ୪୧ ଜଣ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ଗତକାଲି ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ସମଗ୍ର ଦେଶରେ ଏକପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି।। ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଶ୍ରମିକ ଅଛନ୍ତି।
ଟନେଲରୁ ବାହାରିବା ପରେ ଗତ ୧୭ ଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ ଧୀରେନ ନାୟକ। ମୟୂରଭଞ୍ଜ ଜିଲ୍ଲା ଉଦଳାର ଧୀରେନ ପ୍ରାୟ ୩ ବର୍ଷ ହେଲା ସେଠାରେ କାମ କରୁଥିଲେ ବି ପୂର୍ବରୁ କେବେ ଏପରି ସମସ୍ୟାର ସମ୍ମୁଖୀନ ହୋଇନଥିଲେ।
ଧୀରେନ କହିଛନ୍ତି, ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲୁ। ମାତ୍ର କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା । ୧୮ ଘଣ୍ଟା ପର୍ଯ୍ୟନ୍ତ ଆମେ ଅମ୍ଳଜାନ ପାଇପାରିନଥିଲୁ । ଏହାପରେ ଉପସ୍ଥିତ ବୁଦ୍ଧି ଖଟାଇ ଟନେଲ ଭିତରେ ପମ୍ପ ଚଲାଇ ପାଇପ୍‌ ବାଟେ ପାଣି ଛାଡ଼ିଥିଲୁ। ଫଳରେ ବାହାରେ ଥିବା କମ୍ପାନୀ କର୍ମଚାରୀ ଆମେ ଫସି ଯାଇଥିବା ଜାଣିପାରିଥିଲେ।
ପ୍ରଥମେ ସେହି ପାଇପ ଦ୍ୱାରା ବାହାର ଦୁନିଆ ସହ ଯୋଗାଯୋଗ ହୋଇଥିଲା। ସେହି ପାଇପରେ ମୁଢ଼ି, କାଜୁ, କିସମିସ୍ ଓ ଚଣା ଆଦି ଆମ ନିକଟରେ ପହଞ୍ଚିଥିଲା। ପ୍ରଥମ ୧୦ଦିନ କେବଳ ତାହାକୁ ଖାଇ ଦିନ କାଟିଥିଲୁ। ପରେ ୬ ଇଞ୍ଚର ପାଇପ ପକାଇ ଆମ ପାଖକୁ ଭାତ, ରୁଟି ଓ ଡାଲି ପଠାଯାଇଥିଲା। ଏଭଳି କଠିନ ପରିସ୍ଥିତିରେ କିନ୍ତୁ ଟନେଲ ଭିତରେ ପାଣି ଓ ଲାଇନ କଟିନଥିଲା ବୋଲି କହିଛନ୍ତି ଧୀରେନ।
ସେ କହିଛନ୍ତି, ଟନେଲ ଭିତରେ ଆମେ ବହୁ ପ୍ରତିକୂଳ ପରିସ୍ଥିତିରେ ଥିଲେ ବି ଏକାଠି ଥିବାରୁ ମନୋବଳ ଭାଙ୍ଗିନଥିଲା। ଉଦ୍ଧାର ହୋଇଯିବୁ ବୋଲି ଆଶାଥିଲା। ପ୍ରାୟ ୧୦/୧୨ ଦିନ ପରେ ପରିବାର ଲୋକଙ୍କ ସହ କଥା ହୋଇ ପାରିଥିଲୁ।
୧୭ ଦିନର ଅପେକ୍ଷାପରେ ଗତକାଲି ରାତିରେ ଉଦ୍ଧାରକାର୍ଯ୍ୟ ସମ୍ଭବ ହୋଇପାରିଥିଲା। ଆମକୁ ଉଦ୍ଧାର କରିବା ନିମନ୍ତେ ସଂଯୋଗ କରାଯାଇଥିବା ପାଇପ୍‌କୁ ଦେଖି ସମସ୍ତେ ଖୁସି ହୋଇ ଯାଇଥିଲୁ। ଟନେଲ ବାହାରେ ଆମ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଉପସ୍ଥିତଥିବା ଦେଖି ଖୁବ୍‌ ଖୁସି ଲାଗିଥିଲା। ଉଦ୍ଧାର ହେବା ପରେ ଆମକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆମେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ। ଗାଁକୁ ଫେରିବାକୁ ପାଖାପାଖି ଆହୁରି ସପ୍ତାହେ ଲାଗିଯିବ ବୋଲି କହିଛନ୍ତି ଧୀରେନ।

hiranchal ad1
Leave A Reply

Your email address will not be published.

19 + sixteen =