ଅଷ୍ଟ୍ରେଲିଆକୁ ଝଟକା : ତୃତୀୟ ଟେଷ୍ଟ ଖେଳିବେନି କମିନ୍ସ, ଜାଣନ୍ତୁ କାହାକୁ ମିଳିବ ଅଧିନାୟକତ୍ୱ ଦାୟିତ୍ୱ

0 70

ନୂଆଦିଲ୍ଲୀ : ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ । ଦ୍ୱିତୀୟ ଟେଷ୍ଟ ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଯାଇଥିବା କମିନ୍ସଙ୍କ ମା’ଙ୍କ ଦେହ ଖରାପ ଅଛି । ତେଣୁ ଏପରି ସ୍ଥିତିରେ ସେ ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତ ଆସିପାରିବେ ନାହିଁ ।
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସମୟରେ କମିନ୍ସଙ୍କ ପାଖରେ ମା’ଙ୍କ ଅସୁସ୍ଥତା ନେଇ ଖବର ପହଞ୍ଚିଥିଲା । ରବିବାର ଅଷ୍ଟ୍ରେଲିଆ ଏହି ଟେଷ୍ଟ ମ୍ୟାଚ୍‌ରେ ହାରିବା କ୍ଷଣି କମିନ୍ସ ରାତାରାତି ଦିଲ୍ଲୀରୁ ସିଡ୍‌ନୀ ଅଭିମୁଖେ ଉଡାଣ କରିଥିଲେ । କୁହାଯାଉଥିଲା ଯେ ସେ ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ବେଳକୁ ଭାରତ ଫେରି ଆସିବେ । ହେଲେ ଏବେ ୨୯ ବର୍ଷୀୟ କମିନ୍ସ ନିଶ୍ଚିତ କରିଛନ୍ତି ଯେ ଇନ୍ଦୋର ଟେଷ୍ଟରେ ଦଳ ପାଇଁ ଉପଲବ୍ଧ ହେବେ ନାହିଁ । ମା’ଙ୍କ ଅବସ୍ଥା ଭଲ ନଥିବାରୁ ସେ ତାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି ।
କମିନ୍ସ କହିଛନ୍ତି, “ଏହି ସମୟରେ ଭାରତ ଫେରିବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ ଭାବୁଛି ମୋ ପରିବାର ସହ ସମୟ ବିତାଇବା ଭଲ ହେବ । କ୍ରିକେଟ ଅଷ୍ଟ୍ରେଲିଆ ଓ ମୋ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି । ସେମାନେ ସବୁ କିଛି ବୁଝି ପାରିଥିବାରୁ ଧନ୍ୟବାଦ ।” କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ଦଳର ନେତୃତ୍ୱ ନେବେ । ବଲ ଟାମ୍ପରିଂ ମାମଲାରେ ଫସି ସ୍ମିଥ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ହରାଇଥିଲେ । ହେଲେ ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ଉପରୁ ବ୍ୟାନ ହଟାଇ ଦେଇଛି । ତେଣୁ ସେ ହିଁ ଭାରତ ବିପକ୍ଷ ଇନ୍‌ଦୋର ଟେଷ୍ଟରେ କଙ୍ଗାରୁ ଟିମର କମାଣ ସମ୍ଭାଳିବେ । ତେବେ ୪ର୍ଥ ଟେଷ୍ଟରେ କମିନ୍ସ ଭାରତ ଫେରିବାର ସମ୍ଭାବନା ଥିବାରୁ ସେ ପୁଣି କ୍ୟାପ୍‌ଟେନ୍ସି ଦାୟିତ୍ୱ ନେବେ ।
ଦ୍ୱିତୀୟ ଟେଷ୍ଟ ପରେ ସ୍ମିଥ ମଧ୍ୟ ଦୁବାଇ ଚାଲି ଯାଇଥିଲେ । ସେ ୪ ଦିନ ପତ୍ନୀ ଡାନିଙ୍କ ସହ ସମୟ ବିତାଇବା ପରେ ଗୁରୁବାର ସନ୍ଧ୍ୟାରେ ପୁଣି ଦଳ ସହ ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆ ଏବେ ଟେଷ୍ଟ ସିରିଜ୍‌ରେ ୦-୨ରେ ପଛୁଆ ରହିଛି । ତେଣୁ ସ୍ମିଥ କେମିତି ଦଳର କମବ୍ୟାକ କରାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର । ୩୩ ବର୍ଷୀୟ ସ୍ମିଥଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମ ଭାରତରେ ୨୦୧୭ରେ ଟେଷ୍ଟ ସିରଜ ଖେଳିଥିଲା । ଏହି ଟେଷ୍ଟକୁ ଭାରତ ୨-୧ରେ ଜିତି ନେଇଥିଲା ।
ଅନ୍ୟପକ୍ଷରେ କମିନ୍ସ ତୃତୀୟ ଟେଷ୍ଟରୁ ବାଦ ପଡିଥିବାରୁ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ତାଙ୍କ ସ୍ଥାନ ନେବେ । ଆହତ ସମସ୍ୟା ଯୋଗୁ ଷ୍ଟାର୍କ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ଖେଳି ନଥିଲେ । ସେହିପରି ଡାଭିଡ ୱାର୍ଣ୍ଣର ମଧ୍ୟ ଆହତ ଯୋଗୁ ଭାରତ ବିପକ୍ଷ ଟେଷ୍ଟ ସିରିଜକୁ ବାଦ ପଡିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ କାମେରୁନ ଗ୍ରୀନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି ।

hiranchal ad1
Leave A Reply

Your email address will not be published.

4 × two =