ଆଇପିଏଲ ନିଲାମୀରେ ସବୁ ରେକର୍ଡ ଭାଙ୍ଗିଲେ କୁରାନ : ୧୮.୫୦କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ

0 35

କୋଚି: ଆଇପିଏଲର ୨୦୨୩ ସଂସ୍କରଣ ପାଇଁ ଆଜି ମିନି ଅକ୍ସନ ଆରମ୍ଭ ହୋଇଛି । ଯାହା ଆଶା କରାଯାଉଥିଲା ସେଇଆ ହେଲା । ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଷ୍ଟାର ଇଂଲିଶ ଅଲରାଉଣ୍ଡର ସାମ କୁରାନ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି । ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି । ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି ନଥିଲେ । ହେଲେ ଆଜି ସାମ କୁରାନ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ସାମ କୁରାନଙ୍କୁ ନେବା ପାଇଁ ଆଜି ଅକ୍ସନ ବେଳେ ସବୁ ଦଳର ପ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇଥିଲେ । ଶେଷରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଲଢେଇ ଆରମ୍ଭ ହୋଇଥିଲା । ପଞ୍ଜାବ ବିଡ୍‌ ଲଗାଉଥିବା ବେଳେ ରାଜସ୍ଥାନ ମଧ୍ୟ ପଛରେ ନଥିଲା । ହେଲେ ପଞ୍ଜାବ ୧୮.୫୦ କୋଟି ବିଡ୍‌ ଲଗାଇବାରୁ ରାଜସ୍ଥାନ ଲଢେଇରୁ ଓହରି ଯାଇଥିଲା । ଶେଷରେ ପଞ୍ଜାବ ସାମ କୁରାନଙ୍କୁ କିଣିବାକୁ ସକ୍ଷମ ହୋଇଛି । ସାମ କୁରାନ ୨୦୨୨ ଆଇପିଏଲରେ ଖେଳି ନଥିଲେ । ୨୦୨୧ରେ ସେ ଚେନ୍ନାଇ ସହ ରହିଥିଲେ । ଆହତ ସମସ୍ୟା ଯୋଗୁ ୨୦୨୨ ଆଇପିଏଲରୁ ବାଦ ପଡିଥିବା କୁରାନ ଇଂଲଣ୍ଡ ପାଇଁ ଟି-୨୦ ଫର୍ମାଟରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଟି-୨୦ ବିଶ୍ୱକପରେ ସେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ସହ ସିରିଜ୍‌ ମଧ୍ୟ ମିଳିଥିଲା । ଇଂଲଣ୍ଡ ତାଙ୍କ ଦମରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା । ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାମ କୁରାନ ପଞ୍ଜାବ ପକ୍ଷରୁ ହିଁ ୨୦୧୯ ଆଇପିଏଲରେ ଡେବ୍ୟୁ କରିଥିଲେ । ସେତେବେଳେ ଦଳ ତାଙ୍କୁ ୭.୨ କୋଟି ଟଙ୍କାରେ କିଣିଥିଲା । ତାଙ୍କ ପ୍ରଦର୍ଶନ ଭଲ ନ ରହିବାରୁ ୨୦୨୦ ଅକ୍ସନ ପୂର୍ବରୁ ପଞ୍ଜାବ ତାଙ୍କୁ ରିଲିଜ କରି ଦେଇଥିଲେ । ୨୦୨୦ ଅକ୍ସନରେ ଚେନ୍ନାଇ ତାଙ୍କୁ ୫.୫ କୋଟି ଟଙ୍କାରେ କିଣିଥିଲା । ୨ ବର୍ଷ କାଳ ସେ ଚେନ୍ନାଇ ପାଇଁ ଖେଳିଥିଲେ । ୨୦୨୨ରେ ସେ ଆଇପିଏଲ ଖେଳି ନଥିବା ବେଳେ ଏବେ ପଞ୍ଜାବକୁ ପୁଣି ଫେରିଛନ୍ତି । ସାମ କୁରାନଙ୍କ ବ୍ୟତୀତ ପଞ୍ଜାବ ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରାଜାଙ୍କୁ ମଧ୍ୟ ବେସ୍‌ ପ୍ରାଇସ ୫୦ ଲକ୍ଷରେ କିଣିଛି । ଓଡେନ ସ୍ମିଥ ୫୦ ଲକ୍ଷ ଟଙ୍କାରେ ଗୁଜରାଟ ଟାଇଟନ୍ସ ପାଖକୁ ଯାଇଛନ୍ତି । ଜେସନ ହୋଲ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ୫.୭୫ କୋଟିରେ କିଣିଛି ।
ନିଲାମିରେ ଇଂଲଣ୍ଡ ଟିମ୍‌ର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍‌ଙ୍କ ଦବଦବା ଦେଖିବାକୁ ମିଳିଛି । ତାଙ୍କୁ ୧୩.୨୫ କୋଟି ଟଙ୍କା ଦେଇ ସନ ରାଇଜର୍ସ ହାଇଦ୍ରାବାଦ ନିଜ ସହ ସାମିଲ କରିଛି । ବ୍ରୁକଙ୍କ ବେସ୍‌ ପ୍ରାଇସ ୧.୫ କୋଟି ଟଙ୍କା ଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟ ବ୍ରୁକଙ୍କୁ କିଣିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଏହି ଷ୍ଟାର ଇଂଲିଶ ବ୍ୟାଟରଙ୍କୁ ହାଇଦ୍ରାବାଦ କିଣିବାକୁ ସକ୍ଷମ ହୋଇଛି । ବ୍ରୁକ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି । ପାକିସ୍ତାନ ବିପକ୍ଷ ଟେଷ୍ଟ ଓ ଟି-୨୦ ବିଶ୍ୱକପରେ ସେ ନିଜର ଜଲୱା ଦେଖାଇଥିଲେ । ଖାସ ଏହି କାରଣ ପାଇଁ ତାଙ୍କୁ ହାଇଦ୍ରାବାଦ ନିଜ ସହ ସାମିଲ କରିଛି । ସେ ପ୍ରଥମଥର ପାଇଁ ୨୦୨୩ରେ ଆଇପିଏଲରେ ନଜର ଆସିବେ । ଅନ୍ୟପକ୍ଷରେ ହାଇଦ୍ରାବାଦର ପୂର୍ବତନ ଅଧିନାୟକ କେନ ୱିଲିୟମସନଙ୍କୁ ଗୁଜରାଟ ଟାଇଟନ୍ସ ବେସ୍‌ ପ୍ରାଇସ ୨ କୋଟି ଟଙ୍କାରେ କିଣିଛି । ମୟଙ୍କ ଅଗ୍ରୱାଲଙ୍କୁ ହାଇଦ୍ରାବାଦ ୮.୨୫ କୋଟି ଟଙ୍କାରେ କିଣିଛି । ତାଙ୍କ ବେସ୍‌ ପ୍ରାଇସ ୧ କୋଟି ଟଙ୍କା ଥିଲା । ତାଙ୍କୁ ଅକ୍ସନରେ କିଣିବା ପାଇଁ ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଚେଷ୍ଟା କରିଥିଲା । ହେଲେ ହାଇଦ୍ରାବାଦ ୮.୨୫ କୋଟି ଟଙ୍କା ଦେଇ ମୟଙ୍କଙ୍କୁ ନିଜ ସହ ସାମିଲ କରିଛି । ଅଜିଙ୍କ୍ୟ ରାହାଣେ ବେସ୍‌ ପ୍ରାଇସ ୫୦ ଲକ୍ଷରେ ଚେନ୍ନାଇ କ୍ୟାମ୍ପକୁ ଯାଇଛନ୍ତି । ଇଂଲଣ୍ଡର ଜୋ ରୁଟ ଓ ଦକ୍ଷିଣ ଆଫ୍ରିକାର ରିଲି ରୁସୋଙ୍କୁ କେହି ପ୍ରଥମ ପର୍ଯ୍ୟାୟରେ କିଣି ନାହାନ୍ତି । ରୁସୋଙ୍କ ବେସ୍‌ ପ୍ରାଇସ ୨ କୋଟି ଥିବା ବେଳେ ରୁଟ ନିଜର ଦାମ ୧ କୋଟି ଟଙ୍କା ରଖିଥିଲେ । ସାକିବ ଅଲ ହାସନଙ୍କୁ ମଧ୍ୟ କେହି କିଣି ନାହାନ୍ତି ।

hiranchal ad1
Leave A Reply

Your email address will not be published.

2 + 12 =