ମୟଙ୍କ ଅଗ୍ରୱାଲ ହେଲେ ପଞ୍ଜାବ କିଙ୍ଗ୍‌ସର ଅଧିନାୟକ

0 44

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ପଞ୍ଜାବ କିଙ୍ଗସ୍‌ ଆଜି ତାର ଅଧିନାୟକ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଦଳର ଓପନର ମୟଙ୍କ ଅଗ୍ରୱାଲଙ୍କୁ ଫ୍ରାଞ୍ଚାଇଜ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ସୋମବାର ଏକ ବିବୃତ୍ତି ଜାରି କରି ଫ୍ରାଞ୍ଚାଇଜ୍‌ ଏହି ସୂଚନା ଦେଇଛି । ମୟଙ୍କ ୨୦୧୮ ଠାରୁ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପାଇଁ ଖେଳୁଛନ୍ତି । ଯେତେବେଳେ କେ.ଏଲ୍‌ ରାହୁଲ ଦଳର ଅଧିନାୟକ ଥିଲେ, ମୟଙ୍କ ମଧ୍ୟ କିଛି ମ୍ୟାଚ୍‌ରେ ତାଙ୍କ ଅନୁପସ୍ଥିତିରେ ପଞ୍ଜାବର ଅଧିନାୟକ ହୋଇଥିଲେ । ୨୦୨୧ ପରେ ପଞ୍ଜାବ ୧୨ କୋଟି ଟଙ୍କା ଦେଇ ମୟଙ୍କଙ୍କୁ ଦଳରେ ରଖିଥିଲେ । ପଞ୍ଜାବ କିଙ୍ଗସ ଏକ ବିବୃତ୍ତିରେ କହିଛି, “ମୟଙ୍କ ୨୦୧୮ ଠାରୁ ପଞ୍ଜାବ କିଙ୍ଗର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି । ସେ ପୂର୍ବରୁ ଦଳର ଉପ-ଅଧିନାୟକ ଦାୟତ୍ୱ ସୁଚାରୁରୂପେ ତୁଲାଇଛନ୍ତି ଏବଂ ଗତ ସିଜନରେ କିଛି ମ୍ୟାଚରେ ଦଳର ଅଧିନାୟକ ମଧ୍ୟ ରହିଛନ୍ତି ।
ନୂତନ ଅଧିନାୟକ ଭୂମିକା ଗ୍ରହଣ କରିବା ପରେ ମୟଙ୍କ ଅଗ୍ରୱାଲ କହିଛନ୍ତି, “ମୁଁ ୨୦୧୮ ଠାରୁ ପଞ୍ଜାବ କିଙ୍ଗ୍ସର ଏକ ଅଂଶ ଅଟେ ଏବଂ ଏହି ଚମତ୍କାର ଦଳକୁ ପ୍ରତିନିଧିତ୍ୱ କରି ମୁଁ ଅତ୍ୟଧିକ ଗର୍ବିତ । ମୁଁ ଖୁସି ଯେ ମୁଁ ଏହି ଦଳର ନେତୃତ୍ୱ ନେବାର ସୁଯୋଗ ପାଇଛି । ମୁଁ ଏହି ପଦକୁ ଆନ୍ତରିକତାର ସହିତ ଗ୍ରହଣ କରୁଛି ।
ନିକଟରେ ଅନୁଷ୍ଠିତ ଆଇପିଏଲ୍‌ ୨୦୨୨ ନିଲାମରେ ପଞ୍ଜାବ କିଙ୍ଗସ୍‌ ଶିଖର ଧାୱନଙ୍କ ପରି ଜଣେ ବରିଷ୍ଠ ଖେଳାଳି କିଣିଥିଲେ ଏବଂ ତାଙ୍କୁ ଅଧିନାୟକ କରିବା କଥା ଚର୍ଚ୍ଚା ହେଉଥିଲା । କିନ୍ତୁ ଫ୍ରାଞ୍ଚାଇଜ୍‌ ବର୍ତ୍ତମାନ ମୟଙ୍କଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛି ।
ମୟଙ୍କ ଆଇପିଏଲର ଶେଷ ଦୁଇ ସିଜିନରେ ୮୦୦ ରୁ ଅଧିକ ରନ୍‌ ସଂଗ୍ରହ କରିଛି । ସେ ୨୦୨୧ ମସିହାରେ ୧୨ ଟି ମ୍ୟାଚରେ ୪୪୧ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ତାଙ୍କ ନାମରେ ଚାରି ଅର୍ଦ୍ଧଶତକ ରହିଥିଲା । ଏଥି ସହିତ ୨୦୨୦ରେ ସେ ୧୧ ଟି ମ୍ୟାଚରେ ୪୨୪ ରନ୍‌ ସଂଗ୍ରହ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା । ଦଳ ଥରେ ବି ଆଇପିଏଲ୍‌ ଟାଇଟଲ୍‌ ଜିତି ନାହିଁ । ମୟଙ୍କଙ୍କ ଅଧିନରେ ଏହି ଶୂନ୍ୟତା ପୂରଣ ହେବ ବୋଲି ଫ୍ରାଞ୍ଚାଇଜ ଆଶା ପ୍ରକାଶ କରିଛି ।

hiranchal ad1
Leave A Reply

Your email address will not be published.

14 + fifteen =