ଇତିହାସ ରଚିଲେ ନାଡାଲ

0 41

ନୂଆଦିଲ୍ଲୀ : ଇତିହାସ ରଚିଲେ ରାଫେଲ ନାଦାଲ । ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗିଲ୍ସରେ ଚାମ୍ପିଅନ ହେବା ସହ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି । ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ରୁଷର ଡାନିଲ ମେଦଭେଦେଭଙ୍କୁ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨-୬, ୬-୭, ୬-୪, ୬-୪, ୭-୫ରେ ହରାଇଛନ୍ତି । ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍‌ ଧରି ଚାଲିଥିଲା । ମେଦଭେଦେଭ ପ୍ରଥମ ଦୁଇଟି ସେଟ୍‌କୁ ୬-୨, ୭-୬ରେ ଜିତି ଅଗ୍ରଣୀ ହାସଲ କରିଥିଲେ । ତେବେ ନାଡାଲ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍‌ ୬-୪, ୬-୪ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ଏହା ପରେ ପଞ୍ଚମ ସେଟ୍‌ ମଧ୍ୟ ବହୁତ ରୋମାଞ୍ଚକର ରହିଥିଲା । ଏଥିରେ ନାଡାଲ ନିଜ ଅଭିଜ୍ଞତା ବଳରେ ୭-୫ରେ ଜିତି ଟାଇଟଲ୍‌ ନିଜ ନାମରେ କରିଛନ୍ତି । ନାଡାଲ ଏହି ମ୍ୟାଚ୍‌ ଜିତିବା ସହ ଟେନିସ୍‌ ଜଗତରେ ନିଜ ଇତିହାସ ରଚିଛନ୍ତି । ସେ ଦୁନିଆର ସବୁଠୁ ଅଧିକ ୨୧ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଟେନିସ୍‌ ଖେଳାଳି ହୋଇଛନ୍ତି । ଏହି ମାମଲାରେ ସେ ଏକ ନମ୍ବର ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକ ଏବଂ ସ୍ୱିଜରଲାଣ୍ଡର ରୋଜର ଫେଡେରରଙ୍କୁ ପଛରେ ପକାଇ ଦେଇଛନ୍ତି । ଫେଡେରର ଏବଂ ଜୋକୋଭିକ୍‌ ସମାନ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ଫେଡେରର ଫିଟନେସ୍‌ କାରଣରୁ ଏବଂ ଜୋକୋଭିଚ୍‌ ଭ୍ୟାକ୍ସିନ ପାସପୋର୍ଟ ଏବଂ ଭିସା ବିବାଦ କାରଣରୁ ଗ୍ରାଣ୍ଡସ୍ଲାମ ଖେଳି ପାରି ନାହାନ୍ତି । ନାଡାଲଙ୍କ ଏହା ଦ୍ୱିତୀୟ ଅଷ୍‌ଟ୍ରେଲିଆନ ଓପନ ଟାଇଟଲ୍‌ । ଏହା ପୂର୍ବରୁ ସେ ଏହି ଉପଲବ୍ଧି ୨୦୦୯ରେ ହାସଲ କରିଥିଲେ । ଏଥିସହ ନାଡାଲଙ୍କ ଏହା ଷଷ୍ଠ ଅଷ୍ଟ୍ରେଲିଆନ ଓପନ ଫାଇନାଲ୍‌ । ସେ ଏହି ଛଅଟିରୁ ଦୁଇ ଥର ଫାଇନାଲ୍‌ ଜିତିବାରେ ସକ୍ଷମ ହୋଇଥିବା ବେଳେ ୪ ଥର ହାରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + twenty =