୪ ଅଭିଯୁକ୍ତ ଗିରଫ ସହ ବିପୁଳ ଚୋରି ସାମଗ୍ରୀ ଜବତ

0 150

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ବଲୋଦା ଗାଁସ୍ଥିତ ଶିରିଡ଼ି ସାଇ ମନ୍ଦିର ଦାନବକ୍ସରୁ ଟଙ୍କା ଓ ରୋଷେଇ ସାମଗ୍ରୀ ଚୋରି ଘଟଣାରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଖରିଆରରୋଡ଼ ଖୋପେତରାର ଲାଲୁ ସତନାମୀ, ହାଇସ୍କୁଲ ପଡ଼ାର ଆଶିଷ ଗହୀର, ବଜାରପଡ଼ାର ଅନୁରାଗ କୁମାର ଓ ରାଜ ହଜାରେ ବୋଲି ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ୨୭ ତାରିଖ ରାତିରେ ଉକ୍ତ ମନ୍ଦିରରୁ ଦାନବକ୍ସ ଟଙ୍କା ସହ ଭୋଗ ରନ୍ଧରେ ବ୍ୟବହୃତ ବହୁ ସାମଗ୍ରୀ ଚୋରି ହୋଇଥବା ଅଭିଯୋଗ ହୋଇଥିଲା । ସେହିପରି ପୂର୍ବଦିନ ମୁଣ୍ଡଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି ହୋଇଥିଲା । ଏହି ଦୁଇ ଚୋରି ଘଟଣାକୁ ଏସପି ଶ୍ରୀ ରାଘବେନ୍ଦ୍ର ଗୁରୁତ୍ୱର ସହ ନେଇଥିଲେ । ଜୋଙ୍କ ଥାନା ଆଇଆଇସି କୈଳାସ ଚନ୍ଦ୍ର ସେଠୀ ଓ ଲଖନା ଥାନା ଆଇଆଇସି ଗୁରୁଦେବ କର୍ମୀଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ ହୋଇଥିଲା । ପୁଲିସ ୨୪ ଘଣ୍ଟା ଭିତରେ ଚୋରଙ୍କୁ ଠାବ କରିବା ସହ ଚୋରି ସାମଗ୍ରୀ ଜବତ କରିଥିଲା । ଏହି ଚୋରି ଘଟଣାରେ ଖରିଆରରୋଡ଼ ଖୋପେତରାର ଲାଲୁ, ହାଇସ୍କୁଲ ପଡ଼ାର ଆଶିଷ, ବଜାରପଡ଼ାର ଅନୁରାଗଙ୍କୁ ଗିରଫ କରିଥିଲା । ଏଥିସହ ଏକ ବାଇକ, ୧୬ଟି ଭୋଗରନ୍ଧା ସାମଗ୍ରୀ(ଡେକଚି), ୩ଟି ଗ୍ୟାସ ସିଲିଣ୍ଡର, ୩ଟି ତାଲାଭଙ୍ଗା ଯନ୍ତ୍ର ପୁଲିସ ଜବତ କରିଛି । ଏହି ଚୋରି ସାମଗ୍ରୀ କିଣିବା ମାମଲାରେ ବଜାରପଡ଼ାର ରାଜଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି । ଏନେଇ ଜୋଙ୍କ ଥାନାରେ ଦୁଇଟି ମାମଲା ରୁଜୁକରି ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜୋଙ୍କ ଥାନା ଆଇଆଇସି ଶ୍ରୀ ସେଠୀ, ଲଖନା ଆଇଆଇସି ଶ୍ରୀ କର୍ମୀ, ଏସଆଇ ଅରବିନ୍ଦ ମେହେର, ବବିତା ମହାଭୋଇ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ଅଶୋକ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

15 − three =