ବାର୍‌ହା ଆକ୍ରମଣରେ ମା ମୃତ, ପୁଅ ଗୁରୁତର

0 70

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସମେତ ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ବାରହାଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ବାରହାଙ୍କ ଆକ୍ରମଣରେ କାହାର ଜୀବନ ଚାଲିଯାଉଛି ତ ଆଉ କିଏ ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଆଜି ସକାଳ ସମୟରେ ଚାଷଜମିକୁ ଯାଇଥିବା ମା ଓ ପୁଅ ବାରହା ଆକ୍ରମଣରେ ଶିକାର ହୋଇ ମାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଏହି ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପାପି ଗ୍ରାମର ରେଖ ବାଘ(୫୭) ଓ ତାଙ୍କ ପୁଅ ବଳଦେବ ବାଘ (୩୭) ନିଜ ଚାଷଜମିକୁ ପଲ୍ଲା ପକେଇବା ପାଇଁ ଯାଇଥିବା ବେଳେ ଜଙ୍ଗଲି ବାରହାଙ୍କ ଆକ୍ରମଣର ଶିକାର ହୋଇଥିଲେ । ପ୍ରଥମେ ମା ରେଖଙ୍କୁ ବାରହା ଆକ୍ରମଣ କରିଥିବା ବେଳେ ପୁଅ ବଳଦେବ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବାରହା ଆକ୍ରମଣର ଶିକାର ହୋଇଛନ୍ତି । ଉଭୟ ମାଁ ଓ ପୁଅକୁ ବାରହା ଆକ୍ରମଣ କରି ବିଭିନ୍ନ ସ୍ଥାନରେ କାମୁଡି କ୍ଷତବିକ୍ଷତ କରି ଦେଇଥିଲା । ଘଟଣା ପ୍ରଘଟ ହେବାପରେ ଘର ଲୋକ ଓ ଗ୍ରାମବାସୀ ତୁରନ୍ତ ଚିକିତ୍ସା ପାଇଁ ବିନିକା ଡ଼ାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଦେଖିବା ପରେ ମାଁ ରେଖାକୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ପୁଅ ବଳଦେବର ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଏସିଏଫ ପ୍ରଫୁଲ୍ଲ ଧରୁଆ, ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ଓ ଷ୍ଟାପ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ । ପରେ ମୃତକଙ୍କ ପରିବାରଙ୍କୁ ଅନ୍ତିମ ସଂସ୍କାର ପାଇଁ ପ୍ରଥମେ ସରକାରଙ୍କ ତରଫରୁ ୬୦ ହଜାର ଟଙ୍କା ଦିଆଯାଇଛି ଏବଂ ଅନ୍ୟାନ୍ୟ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ଜର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ୧୪ଦିନ ତଳେ ଅଡାକସା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାରହା କାମୁଡି ଦେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଠିକ ସେହିପରି ଆହୁରି ଅନେକ ଲୋକ ବାରହା ଆକ୍ରମଣର ଶିକାର ହୋଇଥିବା ନଜିର ରହିଥିବା ବେଳେ ସେମାନେ କୁଆଡେ ଚିକିତ୍ସିତ ପରେ ନୂଆ ଜୀବନ ପାଇଥିବା ଜଣାପଡ଼ିଛି । ସ୍ମରଣଯୋଗ୍ୟ ଯେ ଜିଲ୍ଲାର ଅନେକ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ମାନଙ୍କର ଚାଷଜମିର ମଧ୍ୟ ବାରହା ମାନେ ପ୍ରଭୁତ କ୍ଷତି ପହଞ୍ଚାଉଥିବା ତଥା ଏମାନଙ୍କ ଆକ୍ରମଣରେ ବିଭିନ୍ନ ଲୋକ ଆହତ ଘଟଣା ବାରମ୍ବାର ଦୃଷ୍ଟି ଗୋଚର ହେଉଛି । ବେଳେବେଳେ ଉପଯୁକ୍ତ ଟ୍ରେଞ୍ଚ ଖୋଳାନଯିବା ହେତୁ ମଧ୍ୟ ଅନେକ ବନ୍ୟପ୍ରାଣୀ ବାଟହୁଡି ସହରମୁହାଁ ହେଉଛନ୍ତି ।ଏଦିଗରେ ବନବିଭାଗ ଉପଯୁକ୍ତ ଧ୍ୟାନ ଦେବାସହ ବାରହା ଆକ୍ରମଣ ରେ ମୃତ ରେଖ ଙ୍କ ପରିବାରକୁପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 + 16 =