ଡୋକରୀ ଚଞ୍ଚରାରେ ଡୋକରୀଦେବୀଙ୍କ ମଣ୍ଡେଇ ପର୍ବ

0 28

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ବହୁ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ମଙ୍ଗଳବାର ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାଳିତ ହୋଇଛି । ପ୍ରତିବର୍ଷ ନୂଆବର୍ଷର ପ୍ରଥମ ମଙ୍ଗଳବାର ଦିନ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ମହାସମାରୋହରେ ପାଳିତ ହୋଇଥାଏ । ମଣ୍ଡେଇ ହେବା ପୂର୍ବରୁ ସୋମବାର ଝାଡେଶ୍ୱର ମହାଦେବ ଓ ଶ୍ରୀରାମ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏହିଯାତ୍ରା ଆରମ୍ଭ ହୋଇଥିଲା । ତେବେ ଡୋକରୀ ଦେବୀଙ୍କ ପୀଠରେ ସକାଳୁ ପାରମ୍ପରିକ ରୀତିନୀତିରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେବୀଙ୍କ ଏହି ମଣ୍ଡେଇ ଯାତ୍ରାରେ କୈାଣସି ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ । ହେଲେ ବିଭିନ୍ନ ଗ୍ରାମର ଦେବାଦେବୀ ମାନଙ୍କ ଲାଠି କାଳିସୀ ସ୍ୱଇଚ୍ଛାରେ ସାମିଲ ହୋଇଥାନ୍ତି । ଟେମେରାରୁ ଠାକୁରାଣୀ ଓ ମା’ ମାଉଳୀ, ମହିମା ଗ୍ରାମରୁ ବସ୍ତରେନ ଓ ବରଦାୟୀନି ସମେତ ବିଭିନ୍ନ ଗ୍ରାମର ଦେବାଦେବୀ ମାନେ ମା’ ଡୋକରୀ ଦେବୀଙ୍କ ଯାତ୍ରାରେ ଏଥର ସାମିଲ ହୋଇଥିଲେ । ସମସ୍ତ ଦେବାଦେବୀ ସାମିଲ ହେବାପରେ ଡୋକରୀ ଦେବୀଙ୍କ ପୀଠରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ପରିସରରେ ବିଭିନ୍ନ ଦେବାଦେବୀଙ୍କ ଲାଠି କାଳିସୀ ସହ ପରିକ୍ରମା କରି ଝାଡେଶ୍ୱର ମହାଦେବ ଓ ଶ୍ରୀରାମ ମନ୍ଦିରକୁ ଦେବାଦେବୀ ମାନେ ଦର୍ଶନ କରି ପୁଣି ପୀଠକୁ ଫେରିଥିଲେ । ଏହି ସମୟରେ ଶହଶହ ଲୋକେ ମା’ ଙ୍କୁ ଦର୍ଶନ କରିବା ସହିତ ଆର୍ଶିବାଦ ଭିକ୍ଷା କରି ମାନସିକ କରିଥିଲେ । କୁହାଯାଏ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ତ୍ରୈତୟା ଯୁଗରେ ବନବାସ ସମୟରେ ଆଦିବାସୀ ମାନଙ୍କ ସହିତ ନିବିଡ଼ ସମ୍ପର୍କ ରହିଥିଲା । ଏହି ସମୟ ମଧ୍ୟରେ ଆଦିବାସୀ ମାନଙ୍କ ସହିତ ମିଳିମିଶି ଧନୁ ଶିକ୍ଷା, ଖାଦ୍ୟପେୟ ଆଦି ଶିକ୍ଷା ଲାଭ କରିଥିଲେ । ତେବେ ଫେରିବା ସମୟରେ ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ ଫେରିଥିବା ଗବେଷକ ମାନେ କୁହନ୍ତି । ତେଣୁ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସର ପ୍ରଥମ ମଙ୍ଗଳବାର ଦିନ ଆଦିବାସୀ ମାନଙ୍କ ଆଦିମ ପରମ୍ପରା ଅନୁସାରେ ପାଳିତ ହୋଇଆସୁଛି ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା । ଯାତ୍ରାରେ କୋକସରା ତହସିଲଦାର ଦେବବ୍ରତ କରାଟି ଯୋଗଦେଇ ଡୋକରୀ ଦେବୀଙ୍କ ଦର୍ଶନ କରିଥିଲେ । ଡୋକରୀ ଦେବୀଙ୍କ ମୁଖ୍ୟ ପୁଝାରୀ ରତନ ପୁଝାରୀ ଓ ସୂକଚନ ପୁଝାରୀ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଡୋକରୀ ଚଞ୍ଚରା ଉନ୍ନୟନ ସମିତିର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ଅଇରୀ ନାଶନ ଚିନ୍ଦା, ସମ୍ପାଦକ ନିଲାମ୍ବର ନାଏକ, ସହ ସମ୍ପାଦକ ମଧୁବନ ପାତ୍ର, ସୁଧୀର ପାତ୍ର, ଜିତେନ୍ଦ୍ର ପ୍ରଧାନୀ, ହିମାଞ୍ଚଳ ପାତ୍ର, ଜତୀନ ମାଝୀ, ଚକାଡୋଳା ପାତ୍ର, ପବିତ୍ର ନାଏକ, ଗରୁଡ଼ଧ୍ୱଜ ମାଝି, ଟେମେରା ସରପଞ୍ଚ କ୍ଷିତିରାମ ପାତ୍ର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one + fifteen =