ରାବଣବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା

0 100

ବୌଦ୍ଧ : ଅସତ୍ୟ ଉପରେ ସତ୍ୟର ଜୟ, ରାବଣ ବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା । ଦୀର୍ଘ ୧୮ ଦିନ ଧରି ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ମାରୁତି ମଣ୍ଡପଠାରେ ଚାଲି ଆସୁଥିବା ରାମଲୀଳା ଯାତ୍ରା ଗତକାଲି ଶେଷ ହୋଇଛି । ଯାତ୍ରାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାର ଅସଂଖ୍ୟା ଦର୍ଶକଙ୍କ ଭିଡ ଜମିଥିଲା । ଉଦ୍‌ଯାପନୀ ସଂଧ୍ୟାରେ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା । ରାମ-ରାବଣଙ୍କ ଅନ୍ତିମ ସାମରଯାତ୍ରାକୁ ନେଇ ରାତିତମାମ ସହର ଉତ୍ସବ ମୁଖର ହୋଇ ଉଠିଥିଲା । ତେଲିବନ୍ଧ, ଧୁଡୁରବାହାଲ, ପୋଲାମ, କାଶଲପୁର, ସରସରା, ବାମଣ୍ଡା, ଗୋବିନ୍ଦପୁର, ବିରିଗଡ, କେଳାକଟା ଆଦି ଅଂଚଳରୁ ୯ଟି ସୁସଜ୍ଜିତ ରାବଣ ରଥ ବିରାଟ ପଟୁଆରରେ ଆସି ବୁଟୁପାଲି ହାଇସ୍କୁଲ ପଡିଆରେ ଏକତ୍ରିତ ହୋଇଥିଲେ । ସେଠାରେ ବୌଦ୍ଧର ବୌଦ୍ଧର ମୁଖ୍ୟ ରାବଣ ରଥ ସହ ଅନ୍ୟ ରଥଗୁଡିକ ସମର ଶୋଭାଯାତ୍ରାରେ ବାହାରିଥିଲେ । ବିଭିନ୍ନ ସୁଆଙ୍ଗନୃତ୍ୟ ଓ ଯୁଦ୍ଧବାଦ୍ୟ ସହ ରଥଗୁଡିକ ଜିଲ୍ଲା ଷ୍ଟାଡିୟମଠାରେ ପହଞ୍ଚିଥିଲା । ସେହିପରି ପ୍ରଭୁ ଶ୍ରୀରାମଙ୍କ ରଥ ବାନରସେନାଙ୍କ ରାମେଶ୍ୱର ମନ୍ଦିରରୁ ବାହାରି ଜିଲ୍ଲା ଷ୍ଟାଡିୟମରେ ପହଞ୍ଚିଥିଲେ । ସେଠାରେ ମୁକ୍ତ ମଞ୍ଚରେ ରାମ-ରାବଣ ମଧ୍ୟରେ ପ୍ରଥମ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା । ଏଥିସହ ଆକର୍ଷଣୀୟ ଆତସବାଜୀ ଏବଂ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବାକୁ ଷ୍ଟାଡିୟମରେ ପ୍ରବଳ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଜିଲ୍ଲା ଷ୍ଟାଡିୟମଠାରୁ ଉଭୟ ରଥ ସହରର ଅଲଗା ଅଲଗା ରାସ୍‌ାତଦେଇ ବାଘଗୁଡା ଛକଠାରେ ପହଞ୍ଚିଥିଲେ ଓ ସେଠାରେ ଦ୍ୱିତୀୟ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା । ଏହାପରେ ଯାତ୍ରା ପଡିଆରେ ରାମ-ରାବଣ ମହାସମର ସହ ବିଭିନ୍ନ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ମାନସିକ ବାଣ ଫୁଟିଥିଲା । ପରେ ଯାତ୍ରାର ମୁଖ୍ୟ ମଞ୍ଚରେ ରାବଣ ବଧ ନାଟକ ମଞ୍ଚସ୍ଥ ହୋଇଥିଲା । ଶ୍ରୀରାମଙ୍କ ବ୍ରହ୍ମାସ୍ତ୍ର ଦ୍ୱାରା ଅଗ୍ନି ସଂଯୋଗ ପରେ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦଶମୁଣ୍ଡିଆ ରାବଣ ପ୍ରତିକୃତୀ ଜଳି ଯାଇଥିଲା ।

hiring


ଅନ୍ୟ ପକ୍ଷରେ ରାମଲୀଳା ଯାତ୍ରା ଅବସରରେ ଚାଲିଥିବା ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଧାୟକ, ବୌଦ୍ଧ ପ୍ରଦୀପ କୁମାର ଅମାତ, ସମ୍ମାନୀତ ଅତିଥି ଭାବେ ପ୍ରଫେସର ଡ. ଜ୍ୟୋତି ରଞ୍ଜନ ବହିଦାର, ଅବସର ପ୍ରାପ୍ତ ପ୍ରାଧ୍ୟାପକ, ମନମୁଣ୍ଡା, ଦିବ୍ୟ ଶଙ୍କର ରାଉତ, ଉପ -ସଭାପତି, ଜ଼ିଲ୍ଲା କଳା ସଂସ୍କୃତି ସଂଘ, ବୌଦ୍ଧ, ଅଧ୍ୟକ୍ଷ, ବୌଦ୍ଧ ଏ ନ. ଏ. ସି. ମୃତ୍ୟୁଞ୍ଜୟ ମିଶ୍ର, ସଭାପତି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିନା ବେଳେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥିଲେ । ସଭା ଶେଷରେ ସାହିତ୍ୟିକ ନୀଳଲୋହିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚତୁର୍ଥ ସଂନ୍ଧ୍ୟାରେ ମା ବାଉରୀ ଦଣ୍ଡ ସଂସଦ -ଶବର ଶବରୀ, ନାରାୟଣ ସଂକୀର୍ତନ ମଣ୍ଡଳୀ, ଡାଙ୍ଗପଡା-ସଂକୀର୍ତନ, ମଦନ ମୋହନ ନାଟ୍ୟସଂସଦ, ବୌଦ୍ଧ -ଏଇ ସ୍ତମ୍ଭରେ ମନ ଏଇ ସ୍ତମ୍ଭ ରେ ଭଗବାନ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ )ସହ ପୂଜାର୍ଚ୍ଚନା ଓ ମଙ୍ଗଳ ଆରତୀ ଏବଂ ସଭା ପରେ ବୌଦ୍ଧ ସାଂସ୍କୃତିକ କଳା ପରିଷଦ -ଆମେ ବଉଦିଆ, କଳାଜିବି, ବରଗଡ -ଚୁଟକୁ ଚୁଟା, କ୍ରିୟେଟିଭ ଡାନ୍ସ -କୃଷ୍ଣ ଦମନ, ଶାଶ୍ୱତ ଏବଂ ଦଳ, ସୁବର୍ଣ୍ଣପୁର -ପଂଚରସି, କଳାଜିବି, ବରଗଡ଼ -ଡାଲଖାଇ ଆଦି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲେ । ଏହି ସାଂସ୍କୃତିକ କାଯ୍ୟକ୍ରମ କୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ବରେନ୍ୟ ଅତିଥି ଏବଂ କଳାକାର ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଚତୁର୍ଥ ଦିନରେ ବୁଟୁପାଲିରେ ମଧ୍ୟ କଲାକାର ମାନେ ପାଲା, ଦାଶକାଠିଆ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 5 =