୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା

0 48

ଭୁବନେଶ୍ୱର: ମାସ ଶେଷ ବେଳକୁ ପୁଣି ସକ୍ରିୟ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ଅବସ୍ଥିତ ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

hiring

ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅନେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ୧୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ମଧ୍ୟ ଅଧା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି ରହିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ୩୦ ତାରିଖ ପର୍ଯ୍ୟନ୍ତ ବର୍ଷାର ତୀବ୍ରତା ଜାରି ରହିବ। ଏହା ପରେ ଧୀରେ ଧୀରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଲଘୁଚାପର ପ୍ରଭାବ କେବଳ ସ୍ଥଳଭାଗରେ ନୁହେଁ, ସମୁଦ୍ରରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଦେଇଛି। ଓଡ଼ିଶା ଉପକୂଳ ନିକଟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି। ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମୁଦ୍ରରୁ ଦୂରେ ରହିବାକୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

15 + seventeen =