ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଝଳସିଲେ ମହାପ୍ରଭୁ

0 63

ପୁରୀ : ରଥଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । ଗୁରୁବାର ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ଚଳିତବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଶ୍ରୀକ୍ଷେତ୍ର ଜନ ସମୁଦ୍ରରେ ପରିଣତ ହୋଇଥିଲା ।
ଆଜି ହେଉଛି ମହାପ୍ରଭୁଙ୍କର ପବିତ୍ର ସୂନାବେଶ । ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂରତି ରଥ ଉପରୁ ଦର୍ଶନ ଦେଇଛନ୍ତି । ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୫ଟା୧୦ମିନିଟରୁ ୬ଟାମଧ୍ୟରେ ସୁନାବେଶ ଆରମ୍ଭ ହୋଇ ଶେଷ ହୋଇଥିଲା । ସଂନ୍ଧ୍ୟାଧୂପ ସରିବା ପରେ ସୁନାବେଶ ଓଲାଗି କରାଯାଇଛି । ପରେ ବଡସିଂହାର ବେଶ ହରିଶୟନ ନୀତି ପରେ ରାତ୍ର ପହୁଡ ଅନୁଷ୍ଠିତ ହୋଇଥିଲା । ତେବେ ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ । ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୁଅନ୍ତି ମହାପ୍ରଭୁ । ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି ଆଦି ପରିଧାନ କରିଥାନ୍ତି । ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି,ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି । ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍‌ଯ ଶଙ୍ଖ,କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ ।
୧୩୮ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସି ଉଠିଥିଲେ ଶ୍ରୀଜିଉ । ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୧୮୦ ପୋଲିସ ପ୍ଲାଟୁନ ସହ ଏକ ହଜାରରୁ ଉର୍ଦ୍ଧ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।
ଆସନ୍ତାକାଲି ତିନି ରଥରେ ଅଧରପଣା ନୀତି ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

two × four =