ବୃଦ୍ଧାଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ,ଥାନାରେ ଏତଲା

0 194

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଂଗଡ଼ ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଗରମ ପାଣି ଢାଳି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଜନ୍ମ କଲା ଝିଅ ଓ ଜ୍ୱାଇଁ ଏପରି କରିଥିବା ସାରଙ୍ଗଡ଼ ଥାନାରେ ଅଭିଯୋଗ ହୋଇଛି । ୭୦ ବର୍ଷିୟା ବୃଦ୍ଧା ଲୀଳାବତୀ ଦିଗାଲଙ୍କୁ ଗରମ ପାଣି ଢାଳି ମାରିବାକୁ ଉଦ୍ୟମ କଲାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୃଦ୍ଧା ଜଣକ । ଏଭଳି ଅମାନୁଷିକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାରଙ୍ଗଡ ଥାନା ଅନ୍ତର୍ଗତ ଚାଞ୍ଚେଡି ପଂଚାୟତର ତଡ଼ଙ୍ଗୀୟା ଗ୍ରାମରେ । ବୃଦ୍ଧା ଲୀଳାବତୀ ଦିଗାଲଙ୍କ ଦୁଇଝିଅ ଥିବା ଜଣାପଡ଼ିଛି । ସାନ ଝିଅ ରଶ୍ମିତା ମଲ୍ଲିକ ଟିକାବାଲି ବାହା ହୋଇଥିବାବେଳେ ବଡଝିଅ ସସ୍ମିତା ଦିଗାଲ ବାହାହୋଇ ମଧ୍ୟ ଶଶୁର ଘର ଛାଡି ମାଆଙ୍କ ପାଖରେ ସ୍ୱାମୀ ସହ ରହୁଥିଲେ । ପ୍ରାୟତଃ ସବୁବେଳେ ଝିଅ ଜ୍ୱାଇଁ ବୃଦ୍ଧାଙ୍କ ସହ କଳି ଝଗଡ଼ା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଗତକାଲି କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଜ୍ୱାଇଁ ପ୍ରଶାନ୍ତ ଦିଗାଲ ରାଗି ଉତ୍ୟକ୍ତ ହୋଇ ନିଜ ଶାଶୁଙ୍କ ଉପରେ ଭାତ ରାନ୍ଧିବା ପାଇଁ ବସିଥିବା ଗରମ ପାଣି ନିଜ ସ୍ତ୍ରୀଙ୍କ ସହ ମିଶି ଢାଳି ଦେଇଥିଲେ । ଯାହାଫଳରେ ବୃଦ୍ଧାଙ୍କ ଶରୀରର ପଛ ପଟ ସମ୍ପୂର୍ଣ ପୋଡ଼ିଯାଇଥିବା ଜଣାପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ବୃଦ୍ଧାଙ୍କ ସାନଝିଅ ରଶ୍ମିତା ଟିକାବାଲିରୁ ଆସି ନିଜ ମାଙ୍କୁ ସାରଙ୍ଗଡ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ନିଜ ଭଉଣୀ ଏବଂ ଜ୍ୱାଇଁଙ୍କ ନାମରେ ସାରଙ୍ଗଡ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ରଶ୍ମିତାଙ୍କ ଅଭିଯୋଗ ପ୍ରକାରେ ସଶ୍ମିତା ଦିଗାଲ ଓ ପ୍ରଶାନ୍ତ ଦିଗାଲଙ୍କ ନାମରେ କେଶ ନମ୍ବର ୭୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ବର୍ତ୍ତମାନ ବୃଦ୍ଧା ଜଣକ ସାରଙ୍ଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ତା ସ୍ଥିର ରହିଥିବା ଜଣାପଡ଼ିଛି । ନିଜ ଝିଅ ଜ୍ୱାଇଁ ହୋଇ ବୃଦ୍ଧା ମାଙ୍କ ପ୍ରତି ଏଭଳି ଅମାନୁଷିକ କାର୍ଯ୍ୟ କରିଥିବାରୁ ଗ୍ରାମବାସୀ ନିନ୍ଦା କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven − 5 =