ଶେଷ ହେଲା ରତ୍ନଭଣ୍ଡାର ଲେଜର ସ୍କାନିଂ

0 59

ପୁରୀ : ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ଥ୍ରୀଡି କ୍ୟାମେରା ଜରିଆରେ ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଛି । ଏଏସଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଦୁଇଦିନ ଧରି ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା । ଗତକାଲି ୩୭ଟି ପଏଣ୍ଟରେ ଓ ଆଜି ୧୨ଟି ପଏଣ୍ଟରେ ଲେଜର୍‌ ସ୍କାନିଂ ଶେଷ ହୋଇଛି । ସମୁଦାୟ ୪୯ଟି ପଏଣ୍ଟରେ ଏହି ଲେଜର୍‌ ସ୍କାନିଂ ଶେଷ ହୋଇଥିବା ସୂଚନା ମିଳିଛି । ତେବେ ଲେଜର ସ୍କାନିଂ ରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକର ମରାମତି କରାଯିବ । ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କର ବାରମ୍ବାର ଦାବି ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ରତ୍ନଭଣ୍ଡାରର ବାହାର ପାର୍ଶ୍ୱରୁ ସ୍ଥିତି ଜାଣିବା ପାଇଁ ଲେଜର ସ୍କାନିଂ କରିବାକୁ ଏଏସାଆଇକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଦୁଇଦିନ ଧରି ଲେଜର ସ୍କାନିଂରୁ ମିଳିଥିବା ଫଟୋ ଗୁଡ଼ିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସାଆଇ ସୁପରିଟେଣ୍ଡଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି । ସେପଟେ ଆସନ୍ତାକାଲି ଅନ୍ୟ ଦେବାଦେବୀ ମନ୍ଦିରର ଲେଜର୍‌ ସ୍କାନିଂ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

three × 5 =