ପରିକ୍ରମା ପ୍ରକଳ୍ପ ପାଇଁ ପାତାଳୀ ଶ୍ରୀକ୍ଷେତ୍ରକୁ ନିମନ୍ତ୍ରଣ

0 138

ସୁବର୍ଣ୍ଣପୁର :ଜଗତର ନାଥ ଜଗନ୍ନାଥଙ୍କ ବଡ଼ ଦେଉଳର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତ୍ରଣ ନେଇ ପୁରୀରୁ ସ୍ୱତନ୍ତ୍ର ପ୍ରତିନିଧି ନୋଡାଲ ଅଧିକାରୀ ବିକାଶ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜଗନ୍ନାଥ ସେବକ ମନୋଜ ମହାନ୍ତି, ରାଜକିଶୋର ପଣ୍ଡା ଓ ରାଜେଶ ଖୁଣ୍ଟିଆ ସୁବର୍ଣ୍ଣପୁର ଜିଲ୍ଲାରେ ସନ୍ଧ୍ୟାରେ ପହଞ୍ଚିଥିଲେ । ସେମାନଙ୍କୁ ସ୍ଥାନୀୟ ନଳିନୀ ଛକରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି ଏବଂ ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ସହରର ଗନ୍ୟମାନ୍ୟ ବ୍ୟକ୍ତି ବିଶେଷ,ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ହରିବୋଲ ହୁଳହୁଳି ଧ୍ୱନି ଓ ଭଜନ କୀର୍ତ୍ତନରେ ଶ୍ରୀକ୍ଷେତ୍ର ପ୍ରତିନିଧି ମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସହରର ଶତାଧିକ ଜନସାଧାରଣ ଗୋଟିଏ ବିରାଟ ପଟୁଆରରେ ଶୋଭାଯାତ୍ରା କରି ରଜାପଡା ସ୍ଥିତ ପୁରୁଣା ବଡ଼ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ଓ ସେଠାରେ ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଦତ୍ତ ନିମନ୍ତ୍ରଣପତ୍ର ବଡ ଜଗନ୍ନାଥ ମନ୍ଦିର ପୂଜକଙ୍କୁ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ଅର୍ପଣ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଧାର୍ମିକ ମହାସମାରୋହରେ ଯୋଗଦେବା ପାଇଁ ଦେଶର ତଥା ରାଜ୍ୟର ପ୍ରମୁଖ ଦେବାଦେବୀ ଏବଂ ବ୍ୟକ୍ତିବିଶେଷଙ୍କୁ ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦେଇ ପ୍ରତିନିଧି ମାନଙ୍କୁ ପ୍ରେରଣ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ ସୋନପୁର, ବୀରମହାରାଜପୁର, ତହସିଲଦାର ସୋନପୁର , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ,ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ପାତାଳୀ ଶ୍ରୀକ୍ଷେତ୍ରର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × one =