ପେଡ ନିଉଜ ଉପରେ ରଖିବ ନଜର ଏମସିଏମସି

0 33

ପୁରୀ : ଚଳିତ ସାଧାରଣ ନିର୍ବାଚନରେ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାରେ ଏମସିଏମସି ବା ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି କାର୍ଯ୍ୟ କରୁଛି । ପୁରୀ ଜିଲ୍ଲା ଏମସିଏମସିର ଅଧ୍ୟକ୍ଷ ଜିଲ୍ଲାପାଳ ଥିବା ବେଳେ ସଦସ୍ୟ ଭାବେ ଉପଜିଲ୍ଲାପାଳ,ଅତିରିକ୍ତ ଉପ ଜିଲ୍ଲାପାଳ, ବରିଷ୍ଠ ନାଗରିକ ତଥା ମିଡିଆ ପରାମର୍ଶଦାତା ମାନସ ରଞ୍ଜନ ମହାପାତ୍ର, ସୋସିଆଲ ମିଡିଆ ଏକ୍ସପର୍ଟ ନୃସିଂହ ଚରଣ ପାଣିଗ୍ରାହୀ ରହିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମେମ୍ବର ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଛନ୍ତି । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ପ୍ରସାର ପାଇଁ ଏମସିଏମସିରୁ ସଂପୃକ୍ତ ପ୍ରଚାର ଉପଯୋଗୀ ତଥ୍ୟକୁ ପ୍ରମାଣିକୃତ ବା ସାର୍ଟିଫିକେସନ କରିବା ଜରୁରୀ । ଜିଲ୍ଲା ସ୍ତରର ଏମସିଏମସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ,ପୁରୀ ଠାରେ କାର୍ଯ୍ୟ କରୁଛି । ପ୍ରାର୍ଥୀ ମାନେ ସେମାନଙ୍କ ନିର୍ବାଚନ ସମ୍ବନ୍ଧୀୟ ପ୍ରଚାର ତଥ୍ୟ, ବିଜ୍ଞାପନ ବା ଲେଖା, ଅଡିଓ କ୍ଲିପିଂ,ଭିଡିଓ କ୍ଲିପିଂ ଇତ୍ୟାଦି ଏମସିଏମସିରେ ଆବେଦନ ସହ ଦାଖଲ କରିବେ । ଏମସିଏମସି ଏହାକୁ ଅନୁଧ୍ୟାନ କରିବା ସହ ଉପଯୁକ୍ତ ସଂଶୋଧନ ପରେ ପ୍ରଚାର ପ୍ରସାର ପାଇଁ ଅନୁମତି ଦେବେ । ଏହା ଅନୁମୋଦିତ ହେବା ପରେ ସଂପୃକ୍ତ ବିଜ୍ଞାପନଟି ର ମୁଦ୍ରିତ, ଅଡ଼ିଓ ବା ଭିଡ଼ିଓର ଅବିକଳ କପିକୁ ପ୍ରାର୍ଥୀ ଏମସିଏମସିରେ ଦାଖଲ କରିବେ । ଏହା ପୁନଃ ଅନୁଧ୍ୟାନ ପରେ ବ୍ୟବହାର ପାଇଁ ଅନୁମତି ଦିଆଯିବ ଓ ଏହାର ଆନୁଷଙ୍ଗିକ ଖର୍ଚ୍ଚ ଖର୍ଚ୍ଚ ତଦାରଖ ଟିମ ଉଲ୍ଲେଖ କରିବେ । ଅନୁମୋଦିତ ବିଜ୍ଞାପନର ପ୍ରକାଶକ, ମୁଦ୍ରଣକାରୀ, ପ୍ରସ୍ତୁତି କର୍ତ୍ତାଙ୍କ ନାମ ଠିକଣା ଓ ପ୍ରସ୍ତୁତ ସଂଖ୍ୟା ଉଲ୍ଲେଖ ରହିବା ବାଧ୍ୟତାମୂଳକ । ନିର୍ବାଚନରେ ପୋଷ୍ଟର ବା ପାମ୍ପଲେଟ ମୁଦ୍ରଣ କରିବାକୁ ଚାହୁଁଥିଲେ ସେଥିରେ ମୁଦ୍ରଣକାରୀ ସଂସ୍ଥାର ପରିଚୟ ଥିବା ସତ୍ୟପାଠ, ତାଙ୍କର ସ୍ୱାକ୍ଷର ଏବଂ ସେହି ସତ୍ୟପାଠକୁ ସମର୍ଥନ କରୁଥିବା ଦୁଇ ଜଣ ବ୍ୟକ୍ତି ଯେଉଁମାନେ କି ମୁଦ୍ରଣକାରୀଙ୍କୁ ଜାଣିଥିବେ ତାଙ୍କ ପ୍ରତି ସ୍ୱାକ୍ଷର ରହିବା ଆବଶ୍ୟକ । ଏହା ମୁଦ୍ରିତ ହେବା ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ସତ୍ୟପାଠର ନକଲ ସହିତ ଦସ୍ତାବିଜର ଏକକିତା ନକଲ ମୁଦ୍ରଣକାରୀ ସଂସ୍ଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବା ଆବଶ୍ୟକ । ନିୟମାବଳୀର ଖିଲାପକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ।
ଅପରପକ୍ଷରେ ପେଡ ନିଉଜ ବା ସରୋଗେଟ ନିଉଜକୁ ଅନୁଧ୍ୟାନ ସହ ପ୍ରାର୍ଥୀ ଓ ସମ୍ପୃକ୍ତ ନିଉଜ ଏଜେନ୍ସିକୁ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ବାଚନ କମିଶନ ଏମସିଏମସିର ଏହି ତଦାରଖ କାର୍ଯ୍ୟକୁ ପ୍ରତ୍ୟେକ ଦିନ ଜାରି ରଖିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ନିର୍ବାଚନରେ ଏହାର ନିରୀକ୍ଷଣ ପାଇଁ ଡେପୁଟି କଲେକ୍ଟର ସାଧାରଣ ବିବିଧ ବିଭାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେଣୁ ପ୍ରାର୍ଥୀ ମାନେ ବିଜ୍ଞାପନ ପ୍ରକାଶନ ପୂର୍ବରୁ ଏମସିଏମସିର ସହାୟତା ନେବା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ପେଡ ଓ ସରୋଗେଟ ନିଉଜ ସମ୍ପର୍କରେ ସଚେତନ ହୋଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

two − two =