ବାଇକରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ,ପୋଲିସର ତଦନ୍ତ ଆରମ୍ଭ

0 31

ରାୟଗଡା : ରାୟଗଡା ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି,ଡକାୟତି ଭଳି ମାମଲାରେ ପୋଲିସର ତଦନ୍ତ ଯେତିକି ଆଗୁଆ ଥିଲେ ମଧ୍ୟ ସଫଳତା କିନ୍ତୁ ବହୁତ୍‌ କମ ମିଳୁଥିବାରୁ ସହରବାସୀ ଏବେ ଚୋର,ଦୁର୍ବୃତ୍ତମାନଙ୍କ ପ୍ରାର୍ଦୁଭାବକୁ ନେଇ ଚିନ୍ତାରେ ପଡିଛନ୍ତି । ଆଜି ସକାଳ ସାଢେ ୭ଟାରୁ ୮ଟା ସମୟ ମଧ୍ୟରେ ରାୟଗଡା ସହରର ଟ୍ରେଜେରୀ ରାସ୍ତା ମଧ୍ୟରେ ଜଣେ ବରିଷ୍ଠ ମହିଳା ନାଗରିକଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଦୁର୍ବୃତ୍ତଙ୍କ ଧରିବାରେ ସଫଳ ହୋଇପାରି ନ ଥିବା ଜଣାପଡିଛି । ଉକ୍ତ ବୟସ୍କା ମହିଳା ଜଣକ ହେଲେ ସହର ସ୍ଥିତ ରାମକୃଷ୍ଣ ନଗରରେ ରହୁଥିବା ୬୪ବର୍ଷିୟ ସଂଯୁକ୍ତା ବକ୍ସିପାତ୍ର । ସେ ରାମକୃଷ୍ଣ ନଗରରୁ ଟ୍ରେଜେରୀ ରାସ୍ତା ଦେଇ ନିତିଦିନ ଜଗନ୍ନାଥ ମନ୍ଦିରକୁ ଯାଇଥାନ୍ତି । ତେବେ ଆଜି ବଡ ଏକାଦଶୀ ପୂଜା ଥିବାରୁ ସେ ଭୋର ସକାଳୁ ଉଠି ଶ୍ରୀ ମନ୍ଦିରକୁ ଯାଇ ସାଢେ ୭ଟାରେ ଫେରୁଥିବା ବେଳେ ଟ୍ରେଜେରୀ ରାସ୍ତାରେ ଥିବା ଏକ ଫୁଲ ଗଛରୁ ଫୁଲ ତୋଳୁଥିଲେ । ଉକ୍ତ ସମୟରେ ରାସ୍ତା ମଧ୍ୟ ଜନଗହଳି ନ ଥିବାର ସୁଯୋଗ ନେଇ ଧଳା ରଙ୍ଗର ଆପାଚି ବାଇକରେ ହେଲମେଟ୍‌ ପିନ୍ଧା ଦୁଇ ଯୁବକ ଆସି ବୃଦ୍ଧାଙ୍କ ବେକରେ ଥିବା ୩୭ଗ୍ରାମର ସୁନା ଚେନକୁ ଝାମ୍ପି ନେଇଥିଲେ । ଲୁଟର ଶିକାର ହୋଇଥିବା ବରିଷ୍ଠ ମହିଳା ନାଗରିକ ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ କେହି ନ ଥିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏ ନେଇ ରାୟଗଡା ଥାନାରେ ଏତଲା ଦିଆଯିବା ପରେ ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇ ସ୍ଥାନୀୟ ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ କି,ଆଜି ସକାଳେ ଉକ୍ତ ଅଂଚଳରେ ଅନୁରୂପ ଭାବେ ଆଉ ଜଣେ ମହିଳାଙ୍କ ବେକରୁ ମଧ୍ୟ ସୁନାଚେନ୍‌ ଲୁଟ୍‌ ହୋଇଥିବା ଜଣାପଡିଛି । ଦିନକୁ ଦିନ ରାୟଗଡା ସହରରେ ଚୋରି, ଡକାୟତି ଭଳି ମାମଲା ବୃଦ୍ଧି ପାଉଥିବା ବେଳେ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ଏବଂ ସହରରେ ସିିସିଟିଭି ଲଗାଯିବା ବ୍ୟବସ୍ଥାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

16 − 7 =