ପୁରୀରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ

0 93

ପୁରୀ : ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ଆଧାରରେ ଚଳିତ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆଜି ଅପରାହ୍ନରେ ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର,କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପିଓଏଚ୍‌ଆଇ୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼,କଟକ, ସୋନପୁର, ଆଠଗଡ, ବାରିପଦା, ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୧୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର ସେମାନଙ୍କ ବସ୍ତ୍ରର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଯୋଗଦାନ କରିଛନ୍ତି । ସେହିପରି ୧୮ ଜଣ ହସ୍ତଶିଳ୍ପ କାରିଗର ଯୋଗ ଦେଇଛନ୍ତି । ଏହି ମେଳା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚଳିତ ବର୍ଷ ଜୁନ ମାସଠାରୁ ଅକ୍ଟୋବର ମାସ ମଧ୍ୟରେ ଆୟୋଜିତ ମେଳାରେ ମୋଟ ୧୩୭.୯୭ ଲକ୍ଷ ଟଙ୍କାର କାରବାର ହୋଇଛି ଯାହାକି ଅତ୍ୟନ୍ତ ଉତ୍ସାହପ୍ରଦ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

five × four =