ଅବହେଳିତ ଗାଁ ଗଡ଼ିପଦର; ଗାଁ କୁ ନାହିଁ ଭଲ ରାସ୍ତା

0 122

ପହଁଚି ପାରୁନି ସରକାରୀ ଯୋଜନା,ପ୍ରଶାସନର ନିଘା ନାହିଁ
ବାଲିଗୁଡ଼ା : ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ । ବିକାଶ ଏଠି ସାତସପନ । ଆର୍ଥୀକ ବର୍ଷ ୨୦୧୫/୧୬ ରୁ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଗାଁ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିଲେ ମଧ୍ୟ ଏଯାବତ୍‌ କାମ ହୋଇନାହିଁ । ସେପଟେ ଅର୍ଦ୍ଧ ନିର୍ମିତ ପୋଲ ଉପରେ କାଠ ଦିଖଣ୍ଡ ପକାଇ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ୍‌ ଆଡ଼ିମାହା ଗ୍ରାମ ପଞ୍ଚାୟତରୁ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଏ ହେଉଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ୍‌ ଅନ୍ତର୍ଗତ ଆଡ଼ିମାହା ଗ୍ରାମ ପଞ୍ଚାୟତର ଗଡ଼ିପଦର ଗାଁର ଦୃଶ୍ୟ । ଆଡ଼ିମାହା ପଞ୍ଚାୟତ ଗଠନର ଛ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଅଞ୍ଚଳବାସୀ । ଗାଁକୁ ନାହିଁ ଭଲ ରାସ୍ତାଟିଏ । ଅନ୍ୟପଟେ ଗାଁ ମୁଣ୍ଡ ନାଳ ଉପରେ ଏକ ପୋଲ ଦୀର୍ଘ ବର୍ଷରୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଫଳରେ ଅଞ୍ଚଳବାସୀ ସେଠାରେ କାଠ ପୋଲ ନିର୍ମାଣ କରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ବେଳେ କୋମଳମତି ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି କାଠ ପୋଲ ପାର ହୋଇ ପାଠ ପଢ଼ିବାକୁ ଯାଉଥିବା ଦେଖିବାକୁ ମିଳିଛି । ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ନା ମିଳୁଛି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା । ଫଳରେ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀ ।

hiring


ଆର୍ଥିକ ବର୍ଷ ୨୦୧୫/୧୬ରେ କ.ନୁଆଗାଁ ବ୍ଲକ୍‌ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାରୁ ଗଡ଼ିପଦର ଗାଁ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି । ହେଲେ ବର୍ତ୍ତମାନ ସମୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ । ଖାଲି ଖମା ପଥୁରିଆ ରାସ୍ତା ସହ କାଠ ପୋଲ ଦେଇ ଯାତାୟତ କରୁଥିବା ବେଳେ ବହୁ ସମୟରେ ଅଞ୍ଚଳବାସୀ ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି । ରାସ୍ତା ନଥିବାରୁ ଗାଁକୁ ପହଁଚି ପାରୁନାହିଁ ଆମ୍ବୁଲାନ୍ସ । ରୋଗୀଙ୍କୁ କାନ୍ଧେଇ ମୁଖ୍ୟ ରାସ୍ତାକୁ ଆଣିବାକୁ ପଡେ ସମ୍ପର୍କୀୟଙ୍କୁ । ଅନ୍ୟପଟେ ଏହି ରାସ୍ତା ନିର୍ମାଣ ହେଲେ ଗଡ଼ିପଦର ଗାଁ ସମେତ ପାଟାମାହା, ଉଡ୍ରାମାହା, ବ୍ରୁଡାକିଆ,ସୁଟାଙ୍ଗୁଡ଼ୁ ଭଳି ୬/୭ ଟି ଗାଁ ର ପ୍ରାୟ ୨୦୦ ପରିବାର ଉପକୃତ ହୋଇପାରନ୍ତେ । କିନ୍ତୁ ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ନିକଟରେ ଦାବୀ ଜଣାଇ ଆସୁଥିଲେ ମଧ୍ୟ ଏଯାବତ୍‌ ଫଳ ଶୂନ । ଯଥାଶୀଘ୍ର ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଅଞ୍ଚଳର ବିକାଶ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ସେପଟେ ଯଥାଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ହେଲେ ମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହେଉଛି ଏବଂ ଅଞ୍ଚଳବାସୀଙ୍କ ସମସ୍ୟା କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

6 + 13 =