ଦୀର୍ଘ ଦୁଇ ବର୍ଷ ପରେ ବାଲିଗୁଡାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

0 37

ବାଲିଗୁଡା,୨୬/୪: ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଦୁଇବର୍ଷ ପରେ ଆଜି ପୁଣି ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ଡି ବୃନ୍ଦା, କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ୍‌, ଏସଡିପିଓ ଜି ଆର୍‌ ରେଡ୍ଡୀ , ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବିଡିଓ ଜଗଦୀଶ ଷଡଙ୍ଗୀ ଓ ସିଡିପିଓ ଅନିତା ଦାସଙ୍କ ସମେତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଜନସାଧାରଣଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ଏଥିସହିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୬୬ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିବା ଜଣାପଡ଼ିଛି । ମହାମାରୀ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଥିଲା । ବର୍ତ୍ତମାନ ସମୟରେ ସ୍ଥିତିରେ ସୁଧାର ଆସିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କିନ୍ତୁ ଆବଶ୍ୟକ ଅନୁଯାୟୀ କାର୍ଯ୍ୟକ୍ରମ ବିଷୟରେ ପ୍ରଚାର ପ୍ରସାର ହୋଇପାରିନଥିବା ଯୋଗୁଁ ବାଲିଗୁଡ଼ାରେ ଚଳିତବର୍ଷର ପ୍ରଥମ ଅଭିଯୋଗ ଶୁଣାଣୀ ଦିନରେ କମ୍‌ ସଂଖ୍ୟକ ଲୋକ ଆସିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ଦୁଇବର୍ଷ ପରେ ପୁଣି ଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଏହି ପ୍ରକ୍ରିୟା ଜାରିରହିଲେ ଅଞ୍ଚଳବାସୀ ଜିଲ୍ଲା ସଦର ମହକୁମାକୁ ଯାଇ ଖର୍ଚ୍ଚାନ୍ତ ହେବା ବଦଳରେ ପୂର୍ବଭଳି ନିଜ ଅଞ୍ଚଳରେ ନିଜ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇପାରିବେ ବୋଲି ଆଶା ବାନ୍ଧିଛନ୍ତି ।

hiranchal ad1
Leave A Reply

Your email address will not be published.

16 + 7 =