ରେଘାମୁଣ୍ଡାର ଦେଢଶୁର-ଭାଇବୋହୁ ପଥର

0 5,986

ରାଜ୍ୟ ରାଜପଥ ୪୧ନଂ ମନମୁଣ୍ଡା-ବାଲିଗୁଡା ରାସ୍ତାରେ ଆମ୍ବଗାଁ ଛକଠାରୁ ପ୍ରାୟ ୭କିମି ଦୂରରେ ରହିଛି ରେଘାମୁଣ୍ଡା ଗାଁ । ଏହି ଗ୍ରାମରେ ଥିବା ଏକ ଲଣ୍ଡା ପାହାଡ ଉପରେ ରହିଛି ଦେଢଶୁର-ଭାଇବୋହୁ ପଥର । ଏହି ଦୁଇପଥର ଆଧାରରେ ପାହାଡର ନାମକରଣ ମଧ୍ୟ ଦେଢଶୁର-ଭାଇବୋହୁ ପାହାଡ ନାମରେ ନାମିତ । ପାହାଡଟି ପ୍ରାୟ ୧୫୦ ମିଟର ଉଚ୍ଚତାର ହେବ ଏବଂ ପାହାଡ ଶୀର୍ଷରେ ୪୦ ଫୁଟ ଗୋଲେଇ ଓ ପାଖାପାଖି ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଦେଢଶୁର-ଭାଇବୋହୁ ପଥର ଦଣ୍ଡାୟମାନ ହୋଇଛି । ଯେତେ ଝଡବାତ୍ୟା ହେଲେ ମଧ୍ୟ ପଥରଦ୍ୱୟକୁ ସେମିତି ହିଁ ଦଣ୍ଡାୟମାନ ଥିବା ଦେଖିବାକୁ ମିଳେ । ପଥର ଦ୍ୱୟର ଉତ୍ପତ୍ତି ସଂପର୍କରେ କୌଣସି ତଥ୍ୟ କାହାପାଖରେ ନଥିରେ ମଧ୍ୟ ଏହାକୁ ଦେଖିଲେ ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି । କିମ୍ବଦନ୍ତୀ ଅନୁଯାୟୀ ଦେଢଶୁର ଓ ଭାଇବୋହୁଙ୍କ ମଧ୍ୟରେ ନିଷିଦ୍ଧ ସଂପର୍କ ସ୍ଥାପନ ହେବାପରେ ଉଭୟେ ଶାପଗ୍ରସ୍ତ ହୋଇ ପଥର ପାଲଟି ଯାଇଥିଲେ । ପଥର ଦେହରୁ ହଳଦୀ ରଙ୍ଗର ପାଉଁଶ ଭଳି କିଛି ବାହାରୁଥିବା ସ୍ଥାନୀୟ ଲୋକ କହିଥାନ୍ତି । ଏ ହଳଦୀଗୁଣ୍ଡ ଭଳି ଦ୍ରବ୍ୟକୁ ପଥରରୁ ହାତରେ ଘଷି ବାହାର କରି ଦେହରେ ପ୍ରଲେପନ କଲେ ଯାବତୀୟ ଚର୍ମରୋଗ ଭଲ ହୋଇଯାଉଥିବା ଲୋକବିଶ୍ୱାସ ରହିଅଛି । ପାହାଡର ପଥର ଦେହରେ ଖୋଳାଯାଇଥିବା ପାହାଚ ଦେଇ ପର୍ଯ୍ୟଟକମାନେ ଦେଢଶୁର-ଭାଇବୋହୁ ପଥର ନିକଟକୁ ଯାଇଥାନ୍ତି । ପାଖରୁ ପଥର ଦ୍ୱୟକୁ ଦେଖିଲେ ପ୍ରକୃତିର ବୈଚିତ୍ର‌୍ୟ ସୃଷ୍ଟିକୁ ଯେକେହିବି ତାରିଫ କରିବ ହିଁ କରିବ ।
ଲୋକକଥା ଅନୁସାରେ ଅଜ୍ଞାତ ବନବାସ ସମୟରେ ପାଣ୍ଡବମାନେ ନିକଟରେ ଥିବା ପାହାଡର ଗୁମ୍ଫା ମାନଙ୍କରେ କିଛିକାଳ ଅବସ୍ଥାନ କରିଥିଲେ ସେଥିପାଇଁ ଦେଢଶୁର-ଭାଇବୋହୁ ପାହାଡକୁ ଯୁଧିଷ୍ଠିର ପାହାଡ ମଧ୍ୟ କୁହାଯାଏ । ଏ ପାହାଡରେ ପୂର୍ବାବାଳୀ ଦେବୀ ମଧ୍ୟ ପୂଜା ପାଉଛନ୍ତି । ଉତ୍ତର-ପଶ୍ଚିମ ଦିଗରେ ଦେବୀ ଅନ୍ଧାରୀପାଟ ପୂଜାପାଉଥିବା ଅନ୍ଧାରୀପାଟ ଡଙ୍ଗରକୁ ଭୀମପାହାଡ କହିଥାନ୍ତି । ଦକ୍ଷିଣ ପଶ୍ଚିମ ଦିଗରେ ଥିବା ଚାଣ୍ଟିବାଲୀ ଡଙ୍ଗରକୁ ନକୁଳ ପାହାଡ କୁହାଯାଏ । ଏ ପାହାଡରେ ଦୈବୀ ଚାଣ୍ଟିବାଲୀଙ୍କ ଆସ୍ଥାନ ରହିଛି । ଦକ୍ଷିଣ-ପୂର୍ବ ଦିଗରେ ଯେଉଁ ପାହାଡରେ ଦେବୀ ସର୍ଦ୍ଦାବାଲୀ ପୂଜା ପାଉଛନ୍ତି ସେ ପାହାଡକୁ ଅର୍ଜୁନ ପାହାଡ କୁହାଯାଏ । ଦକ୍ଷିଣ ପଶ୍ଚିମ ଦିଗରେ ସହଦେବ ପାହାଡ ରହିଛି ଓ ସେଠାରେ ଦେବୀ କଚ୍ଛବବାଲୀ ପୂଜା ପାଉଛନ୍ତି ।
ଦେଢଶୂର-ଭାଇବୋହୁ ପାହାଡର ପଶ୍ଚିମ ପାଶ୍ୱର୍ରେ ଏକ ଗୁୁଂଫା ମଧ୍ୟରେ ଶ୍ରୀ ଗୁପ୍ତେଶ୍ୱର ମହାଦେବ ପୂଜା ପାଉଛନ୍ତି । ଏଠାରେ ୫ଦିନ ବ୍ୟାପି ଏକ ଯଜ୍ଞର ଆୟୋଜନ ଶ୍ରୀ ଧନେଶ୍ୱର ଦାସ ନାମକ ଜଣେ ସାଧୁ ୧୯୫୫ ମସିହାରେ କରିଥିଲେ । ସେତେବେଳେ ଶୈବପୀଠ ଆତ୍ମପ୍ରକାଶ କରିନଥିଲା । ୧୯୫୭ ମସିହାରେ ନିଜ ମଠ ଛାଡି ଅନ୍ୟତ୍ର ଯିବାବେଳେ ଧନେଶ୍ୱର ବାବା ଏଠାରେ ଏକ ପ୍ରାଚୀନ ଶୈବପୀଠ ଥିବାର କହିଥିଲେ । ସ୍ଥାନୀୟ ଲୋକେ ସେ ଅଞ୍ଚଳକୁ ଖୋଳିବାପରେ ସେଠାରୁ ଅନେକ ଦେବାଦେବୀମାନଙ୍କ ପ୍ରାଚୀନ ପ୍ରସ୍ତର ବିଗ୍ରହ ମାଟିତଳୁ ମିଳିଥିଲା ଓ ନୂତନ ଭାବରେ ଏକ ଶୈବପୀଠ ଶ୍ରୀ ଗୁପ୍ତେଶ୍ୱର ଆତ୍ମପ୍ରକାଶ କରିଥିଲା ।
ସ୍ଥାନୀୟ ଶ୍ରଦ୍ଧାଳୁ ମାନଙ୍କ ସହଯୋଗ ଓ କିଛି ସରକାରୀ ଅନୁଦାନର ସହାୟତାରେ ଦେଢଶୁର-ଭାଇବୋହୁ ପାହାଡ ଓ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠର ବିକାଶ ହୋଇଛି । ପ୍ରତ୍ୟେକ ସଂକ୍ରାନ୍ତି ଓ ପର୍ବପର୍ବାଣୀରେ ଭକ୍ତ ଓ ପର୍ଯ୍ୟଟକମାନଙ୍କ ଗହଳି ଦେଖିବାକୁ ମିଳେ । ବୌଦ୍ଧଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ଥିବା ପାହାଡ ସମୂହର କିମ୍ବଦନ୍ତୀର ସଂରକ୍ଷଣ ସମସ୍ତ ଗୁମ୍ଫାର ପୁନଃରୁଦ୍ଧାର ଓ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ସୁଯୋଗ ଉପଲବଧ କରାଯାଇପାରିଲେ ରେଘାମୁଣ୍ଡା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ସୁନାମ ଅର୍ଜନ କରିପାରିବ ଏହା ନିଃସନ୍ଦେହ ।

hiranchal ad1
Leave A Reply

Your email address will not be published.

4 + two =