ସିଡିଏମ୍‌ଓଙ୍କ କଡା ନିର୍ଦ୍ଦେଶ, ବାସଭବନରେ ରୋଗୀ ଦେଖିପାରିବେନି ଡାକ୍ତର

0 273

ଦଶପଲ୍ଲା : ବହୁବର୍ଷ ଧରି ବାସଭବନରେ ରୋଗୀ ଦେଖି ଫିସ୍‌ ଆଦାୟ କରିବା ଭଳି ଚିରାଚରିତ ପ୍ରଥାରେ ଲାଗିଛି ଅଂକୁଶ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୌଣସି ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରି ଚିକିତ୍ସା ଯୋଗାଇବେ ନାହିଁ ବୋଲି ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେଉରା କଡା ନିର୍ଦ୍ଦେଶ ଜରି କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଏପରି କଡା ଆଭିମୁଖ୍ୟ ପରେ ଜିଲ୍ଲା ହସ୍ପିଟାଲରେ କାମ କରି ସରକାରୀ ବାସଭବନରେ ରୋଗୀ ସେବା ପାଇଁ ଅର୍ଥ ଆଦାୟ କରୁଥିବା କେତେଜଣ ଡାକ୍ତରଙ୍କ ରୋଜଗାର ସଂପୂର୍ଣ୍ଣ ଭାବରେ ଠପ୍‌ ହୋଇଯାଇଛି । ସିଡିଏମ୍‌ଓଙ୍କ ଏହି ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି । ନୟାଗଡ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା ସରକାରୀ ବାସଭବନରେ ରହି କେତେ ଜଣ ଡାକ୍ତର ରୋଗୀ ଚିକିତ୍ସା କରି ଅତିରିକ୍ତ ଅର୍ଥ ରୋଜଗାର କରିଆସୁଥିଲେ । ହସ୍ପିଟାଲକୁ ଆସୁଥିବା ଦୈନିକ ଶହ ଶହ ରୋଗୀଙ୍କୁ ପ୍ରବର୍ତ୍ତାଇ ଡାକ୍ତରଖାନା ବର୍ହିରୋଗ ୱାର୍ଡରେ ମାଗଣା ଚିକିତ୍ସା କରିବା ପରିବର୍ତ୍ତେ ସରକାରୀ ବାସଭବନରେ ଚିକିତ୍ସା କରୁଥିଲେ । ରୋଗୀମାନେ ଚିକିତ୍ସା ବାବଦକୁ ୩୦୦ ଟଙ୍କା ଲେଖାଏଁ ଫି’ ସମ୍ପୃକ୍ତ ଡାକ୍ତରମାନଙ୍କୁ ପ୍ରଦାନ କରୁଥିଲେ । ଏପରିକି ନିଜ ବାସଭବନରେ ରୋଗୀ ଚିକିତ୍ସା କରୁଥିବା ଡାକ୍ତରମାନେ ଡାକ୍ତରଖାନାରେ ରୋଗୀ ଦେଖିବା କଥା ଭୁଲି ଯାଉଥିଲେ । ଅନେକ ସମୟରେ ଓପିଡି ୱାର୍ଡରେ ସକାଳ ୮ଟାରେ କାର୍ଯ୍ୟରେ ଯୋଗ ଦେବା ପରିବର୍ତ୍ତେ କିଛି ଡାକ୍ତର ନିଜ ଇଚ୍ଛାରେ ଡାକ୍ତରଖାନା ଆସୁଥିବା ଅନେକ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଆସୁଥିଲେ । ଦୀର୍ଘ ଦିନ ଧରି ଏହିପରି ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଦୁଇ ଦିନ ତଳେ ହସ୍ପିଟାଲ କ୍ୟାମ୍ପସ ଭିତରେ ଚଢାଉ କରାଯିବା ସମୟରେ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସରକାରୀ ବାସଭବନ ଆଗରେ ରୋଗୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଖବର ନେବା ପରେ ଜଣାପଡିଥିଲା ସମ୍ପୃକ୍ତ ଡାକ୍ତର ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଲେଖାଏଁ ଫି’ ଆଦାୟ କରୁଛନ୍ତି । ଡାକ୍ତରଖାନାରୁ ରୋଗୀମାନଙ୍କୁ କିଛି ଦଲାଲ ଏଠାକୁ ଆଣୁଥିବା ଶୁଣିବାକୁ ମିଳିଛି । ସରକାରୀ ନିୟମ ଉଲ୍ଲଂଘନ କରି ସରକାରୀ ବାସ ଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରୁଥିବାରୁ ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଏହା ପରେ ସମ୍ପୃକ୍ତ ଡାକ୍ତର ରୋଗୀ ସେବା ବନ୍ଦ ରଖିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fourteen − 8 =