ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି : ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

0 36

ଫୁଲବାଣୀ,୨୯/୪:- ପ୍ରତିବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ୱସ୍ତରରେ ନେତୃତ୍ୱ ପ୍ରଦାନ ଏବଂ ସମର୍ଥନ, ଶିକ୍ଷା ଓ ସଚେତନତା ମାଧ୍ୟମରେ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା, ପଶୁ ସୁରକ୍ଷା ଏବଂ ପର୍ଯ୍ୟାବରଣ ସମ୍ବନ୍ଧିତ ବିଷୟବସ୍ତୁର ଚର୍ଚ୍ଚା ଏବଂ ସର୍ବୋପରି ପ୍ରାଣୀ ଚିକିତ୍ସକଙ୍କର କାର୍ଯ୍ୟକଳାପକୁ ପ୍ରଶଂସା କରିବା ନିମନ୍ତେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଥାଏ ବୋଲି ସଭାପତି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସଞ୍ଜିବ କୁମାର ପଟେଲ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ୱ ପ୍ରାଣୀଚିକିତ୍ସା ଦିବସ-୨୦୨୩ ପାଳନ ଅବସରରେ କହିଛନ୍ତି । ସେ କହିଲେ, ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି । କାରଣ ପଶୁମାନଙ୍କର ରୋଗ ସହିତ ମଣିଷ ସମାଜର ସମ୍ପର୍କ ରହିଛି । ପ୍ରାଣୀ ଚିକିତ୍ସକମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଉପସ୍ଥିତ ମା’ ମାନଙ୍କ ଉଦ୍ଦେଶ୍ୟରେ କହିଲେ, ସ୍ୱୟଂ ସହୟିକା ଗୋଷ୍ଠୀ ମାଧ୍ୟମରେ ହେଉ ବା ନିଜ ମାଧ୍ୟମରେ ହେଉ ସମନ୍ୱିତ ଚାଷକାର୍ଯ୍ୟ ହାତକୁ ନେଇ ନିଜ ନିଜର ଉନ୍ନତି କରିବା ସହ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ କରିବା ଆବଶ୍ୟକ । ସେଥିପାଇଁ ସଂପୃକ୍ତ ବିଭାଗ ଗୁଡ଼ିକର ସହଯୋଗ ମଧ୍ୟ ଆବଶ୍ୟକ । ତେବେ ପ୍ରାଣୀ ଚିକିତ୍ସକ ମାନଙ୍କର କାର୍ଯ୍ୟକୁ ସୁଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତାଭାବେ ଯୋଗଦେଇ କଳିଙ୍ଗ ମହାବିଦ୍ୟାଳୟ, ଘୁ.ଉଦୟଗିରିର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ରାଜକିଶୋର ବେହେରା ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ସେମିନାର ମାଧ୍ୟମରେ ଚାଷ କାର୍ଯରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରିବା ଦିଗରେ ସଚେତନ କରିବାକୁ ପ୍ରାଣୀ ଚିକିତ୍ସକ ମାନଙ୍କୁ ପରାମର୍ଶ ଦେବା ସହିତ ଆଜିର ପ୍ରସଙ୍ଗ ପ୍ରାଣୀପାଳକଙ୍କ ହିତରେ ରୂପାନ୍ତରିତ, ନିରପେକ୍ଷ ଓ ବିସ୍ତୃତ ପ୍ରାଣୀଚିକିତ୍ସା ସେବା ଉପରେ ସମ୍ୟକ ଧାରଣା ଦେଇଥିଲେ । ଡଃ ବେହେରା ପ୍ରାଣୀଧନର ସ୍ୱାସ୍ଥ୍ୟ, ବଂଶ ବିସ୍ତାର ଓ ସେମାନଙ୍କ ଦ୍ୱାରା ଜନହିତକର କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଥିବା ଅବଦାନ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଉପନିର୍ଦ୍ଦେଶକ, ଉଦ୍ୟାନ କୃଷି ମିହିର କୁମାର ସାମନ୍ତରାୟ କହିଲେ, ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବାକୁ ହେଲେ ସମନ୍ୱିତ ଚାଷ ପ୍ରଣାଳୀକୁ ସେମାନଙ୍କୁ ଆପଣେଇବାକୁ ପଡ଼ିବ । ବିଭିନ୍ନ ଚାଷ ପାଇଁ ବିଭିନ୍ନ ବିଭାଗର ସହଯୋଗ ଆବଶ୍ୟକ ପଡ଼ିଥାଏ । ସବୁ ବିଭାଗର ସମନ୍ୱୟରେ ହିଁ ଚାଷୀର ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ କହିଲେ ଏବେ ଚାଷର ପରିଭାଷା ବଦଳିଯାଇଛି । ଏହା ବ୍ୟାପକ ହୋଇଯାଇଛି । କାରଣ ଗୋଟିଏ ପ୍ରକାରର ଚାଷରେ ଚାଷୀର ବିକାଶ ଅସମ୍ଭବ । ସେହିପରି, ଗୋଟିଏ ବିଭାଗ ଚାହିଁଲେ ଚାଷୀର ମଧ୍ୟ ବିକାଶ ହୋଇପାରିବ ନାହିଁ ବୋଲି ପାଣିଗ୍ରାହୀ ପ୍ରକାଶ କରିଥିଲେ । ଓଡ଼ିଶା ଜୀବିକା ମିଶନର କନ୍ଧମାଳ ଜିଲ୍ଲା ପ୍ରକଳ୍ପ ପରିଚାଳକ ସନ୍ତୋଷ କୁମାର ରଥ ପ୍ରାଣୀସମ୍ପଦ ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲା ପ୍ରକୃଷ୍ଟ ସ୍ଥାନ ବୋଲି କହିଥିଲେ । ତେବେ, ବିଭିନ୍ନପ୍ରକାରର ଚାଷ ପାଇଁ ସ୍ୱୟଂ ସହୟିକା ଗୋଷ୍ଠୀ ମାଧ୍ୟମରେ ତାଙ୍କ ବିଭାଗ ତରଫରୁ ଫଣ୍ଡ ବିନିଯୋଗ କରାଯାଉଛି ଏବଂ ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି ସେ କହିଥିଲେ । ଡା.ଅଳକା ପଟ୍ଟନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ସହିତ ସଭାପତିଙ୍କ ଅନୁମତିକ୍ରମେ ସଭା ପରିଚାଳନା କରିଥିଲେ । ପ୍ରକାଶଥାଉକି, ଏହି ଦିବସ ପାଳନ ଅବସରରେ ଆଜି ସକାଳେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ସଭାରେ, ବିଭାଗୀୟ ସରକାରୀ ଅଧିକାରୀ, ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରକୃତି ପ୍ରେମୀ, ପ୍ରାଣୀମାନଙ୍କୁ ଭଲପାଉଥିବା ଓ ସେବାକରୁଥିବା କିଛି ବ୍ୟକ୍ତିବିଶେଷ, ଜିଲ୍ଲାର ପ୍ରତି ବ୍ଲକରୁ ଆସିଥିବା ଚାଷୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen + eighteen =