ଆସନ୍ତାକାଲିଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ

0 72

ପୁରୀ,୧୫/୮- ଦୀର୍ଘ ୪ମାସପରେ ଆସନ୍ତାକାଲି ସୋମବାର ଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ସେମାନେ ନିଜନିଜ ପରିଚୟପତ୍ର ଦେଖାଇ କରିବେ ଦର୍ଶନ । ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ଦର୍ଶନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଦୈନିକ ପ୍ରାୟ ଦଶହଜାର ସ୍ଥାନୀୟ ବାସୀନ୍ଦା ତିନୋଟି ପର୍ଯ୍ୟାୟରେ ଦର୍ଶନ କରିବେ ବୋଲି ପ୍ରଶାସନିକ ସ୍ତରରେ ଆକଳନ କରାଯାଇଛି । ପୁରୀବାସୀଙ୍କ ପାଇଁ ଦୁଇଟି ଡୋଜ୍‌ ଟିକାକରଣ ଓ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ ନଥିବାବେଳେ କୋଭିଡ୍‌ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ହୋଇଛି ବ୍ୟବସ୍ଥା । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦୀର୍ଘ ଚାରିମାସ ପରେ ପୁରୀବାସୀଙ୍କୁ ଏହି ସୁଯୋଗ ମିଳିବାକୁଥିବାରୁ ବହୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ସ୍ଥାନୀୟ ବାସୀନ୍ଦା । ଦର୍ଶନ ପାଇଁ ଶ୍ରୀମନ୍ଦିର,ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ତିନୋଟି ଦଫାରେ ଭକ୍ତ କରିବେ ଦର୍ଶନ । ଆସନ୍ତାକାଲି ପ୍ରଥମ ଦଫାରେ ସକାଳ ୭ଟାରୁ ୧୦.୩୦ ମଧ୍ୟରେ ୱାର୍ଡ ନଂ ୩,୧୫,୧୮,୧୧ଟାରୁ ଅପରାହ୍ନ ୨.୩୦ ମଧ୍ୟରେ ୱାର୍ଡ ନଂ ୬,୯ ଓ ଅପରାହ୍ନ ୩.୩୦ରୁ ସଂଧ୍ୟା ୭ଟା ମଧ୍ୟରେ ୱାର୍ଡ ନଂ ୧୧,୧୨ଓ ୧୪ ଅଧିବାସୀ ଦର୍ଶନ କରିପାରିବେ ବୋଲି ସ୍ଥିରିକୃତ ହୋଇଛି । ତିନୋଟି ପର୍ଯ୍ୟାୟ ପାଇଁ ପୌରସଂସ୍ଥା ପକ୍ଷରୁ ତିନୋଟି ରଙ୍ଗର ଟୋକନ୍‌ ଘରଘର ବୁଲି ବଣ୍ଟନ କରାଯାଇଥିବା ବେଳେ ଭଡାଟିଆ ମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ୍‌ ବ୍ୟବସ୍ଥା କରାଯାଇଛି । କୌଣସି କାରଣବଶତଃ ଯଦି କୌଣସି ପରିବାର ଟୋକନ୍‌ ପାଇବାରୁ ବଞ୍ଚିତ ହୋଇଥିବେ ସେମାନେ ଆବଶ୍ୟକ ପଡିଲେ ପୌରସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଅସ୍ଥାୟୀ କାଉଣ୍ଟରରୁ ଟୋକନ୍‌ ସଂଗ୍ରହ କରିପାରିବେ । ସ୍ଥାନୀୟ ଅଧିବାସୀ ମାନେ ଟୋକନ୍‌ ସହ ନିଜର ଯେକୌଣସି ପରିଚୟପତ୍ର ଦେଖାଇ ଧାଡିରେ ଯାଇ ସିଂହଦ୍ୱାର ପଟେ ପ୍ରବେଶକରି ଦର୍ଶନ କରିବା ପରେ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଦର୍ଶନ ପାଇଁ ତିନିରଥକୁ ଭାଙ୍ଗି ଦିଆଯାଇଥିବା ବେଳେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ଦର୍ଶନାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ଆଠଟି କିଓସ୍କୋ ସମେତ ପାନୀୟ ଜଳ ଓ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ କିଓସ୍କୋ ସମ୍ମୁଖରେ ଗୋଲାକୃତି କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରେ ମଧ୍ୟ ସାମାଜିକ ଦୂରତା ରକ୍ଷାପାଇଁ ପର୍ଯ୍ୟାପ୍ତ ଆରକ୍ଷୀ ବାହିନୀଙ୍କୁ ମୁତୟନ କରାଯାଇଛି । ଭକ୍ତମାନେ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ୪୦ରୁ ଉର୍ଦ୍ଧ୍ୱ ଅଫିସରଙ୍କ ସମେତ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଦର୍ଶନ କରିବା ପରେ ଭକ୍ତମାନେ ଆନନ୍ଦବଜାରରୁ ଶ୍ରୀମହାପ୍ରସାଦ କ୍ରୟକରିବାର ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ମହାପ୍ରସାଦ ସେବନକୁ ବାରଣ କରାଯାଇଛି । ପ୍ରତିଦିନ ପ୍ରାୟ ଦଶହଜାର ଭକ୍ତ ଦର୍ଶନ କରିବେ ବୋଲି ପ୍ରଶାସନିକ ସ୍ତରରେ ଆକଳନ କରାଯାଇଛି । ସେପଟେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୧ ଓ ୨୨ ତାରିଖ ସାନିଟାଇଜ୍‌ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

seventeen − 12 =