କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ

0 48

ପୁରୀ,୨୦/୧୦-କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ବନ୍ଧା ରହିଥାନ୍ତି । ସେପଟେ ଆସନ୍ତାକାଲି ଠାରୁ କାର୍ତ୍ତିକ ବ୍ରତଧାରୀ ମାନେ ସଙ୍କଳ୍ପ ନେବା ପରେ ବ୍ରତ ଆରମ୍ଭ କରିବେ । ଭକ୍ତମାନେ କୋଭିଡ କଟକଣା ଅନୁପାଳନ କରି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରୀକ୍ଷେତ୍ରରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର । ସେଥି ମଧ୍ୟରୁ ଆଜି କୁମାର ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥାଏ । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ କରିବା ସହ ପନ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହୋଇଥାଏ । ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତି କ୍ରୀଡା ଉତ୍ସବ ନାମରେ ଅଭିହିତ । ସର୍ତ୍ତ ଅନୁଯାୟୀ ଏହି ଦୁତି କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ହାରିଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ବନ୍ଧା ରହିବେ । ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଛୁ ମହାପାତ୍ର ୨୧ ଟି ହିଙ୍ଗୁଳ, ୨୧ ଟି ରୂପା କଉଡି, ପଶା ଶକଟା ଖେଳମାନ ଖେଳିଥାନ୍ତି । ସେପଟେ କୁମାର ପୂର୍ଣ୍ଣିମାରେ ଆଜି ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 − five =