୭ରୁ ତିନିଦିନିଆ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

0 98

ସମ୍ବଲପୁର: ଆଗାମୀ ୭ ରୁ ୯ ଅକ୍ଟୋବର ଯାଏଁ ତିନି ଦିନ ଧରି ଏଠାକାର ଅଗ୍ରସେନ ଭବନ ଠାରେ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଲାଗିବ ବୋଲି ସମ୍ବଲପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଏହା ପୂର୍ବରୁ ଏହି ପ୍ରକାର ୪ଟି ଶିବିରର ସଫଳ ଆୟୋଜନ ପରେ ଏହା ତାଙ୍କର ୫ମ ଶିବିର ଓ ଏହି ଶିବିରରେ ସାମିଲ ହୋଇ ଜନସାଧାରଣଙ୍କୁ ଲାଭାନ୍ୱିତ ହେବା ପାଇଁ ଅନୁରୋଧ କରାଯାଉଛି । ଏଥିପାଇଁ ରାଜସ୍ଥାନର ଜୟପୁରରୁ ବିଶେଷଜ୍ଞ ଦଳ ଆସି ଇଚ୍ଛୁକ ବ୍ୟକ୍ତିଙ୍କ ପରୀକ୍ଷା ନିରୀକ୍ଷା କଲାପରେ ଆବଶ୍ୟକ ସ୍ଥଳେ ସେମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ । କୌଣସି ଦୁର୍ଘଟଣାରେ ଗୋଡହାତ ହରେଇ ଥିବା ଲୋକଙ୍କ ପାଇଁ ଏହି ଶିବିର ବିଶେଷ ରୂପେ ଆୟୋଜିତ କରାଯାଇଛି । ଏଥିପାଇଁ ସେମାନଙ୍କୁ କୌଣସି ଦେୟ ବହନ କରିବାକୁ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି । ଏହି ଶିବିରରେ ସାମିଲ ହେବାପାଇଁ କେବଳ ସମ୍ବଲପୁର କାହିଁକି ବରଂ ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ମଧ୍ୟ ସୂଚିତ କରାଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୫୦ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ସାମିଲ ହେବା ପାଇଁ ପଞ୍ଜୀକୃତ ହୋଇଛନ୍ତି ଓ ସେମାନଙ୍କ ପାଇଁ ବିହିତ ବ୍ୟବସ୍ଥା କରାଯାଉଛି । ଏଣୁ ଅଧିକରୁ ଅଧିକ ସଂଖ୍ୟକ ବ୍ୟକ୍ତି ଏଥିପାଇଁ ପଞ୍ଜିକରଣ କରାଇ ନିଅନ୍ତୁ ବୋଲି କୁହାଯାଉଛି । ଦୂର ସ୍ଥାନରୁ ଏହି ଶିବିରକୁ ଆସିବାକୁ ଅସମର୍ଥ ଥିବା ବ୍ୟକ୍ତିଙ୍କୁ ନେବା ଆଣିବା କରିବା ପାଇଁ ସେଠାକାର ମାରୱାଡ଼ି ଯୁବା ମଞ୍ଚର ସଭ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି, ଏଣୁ ସେମାନଙ୍କ ସହିତ ସମ୍ପର୍କ କରିବାକୁ କୁହାଯାଇଛି । ଏହି ଶିବିରରେ ସାମିଲ ହୋଇ ଲାଭାନ୍ୱିତ ହୋଇଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ସମୟରେ ଯଦି କିଛି ସମସ୍ୟା ହୁଏ, ତାହାର ମଧ୍ୟ ସମାଧାନ ଦିଗରେ ଯତ୍ନ ନିଆଯିବ ବୋଲି ଆଶ୍ୱାସନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

11 + seven =